ଚାଇନାର ୯୦ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା; ତଦନ୍ତକାରୀ ଟିମ୍‌ ପଠାଇଲେ ସରକାର

ନୂଆଦିଲ୍ଲୀ: ଚାଇନିଜ୍ ଏକାଡେମୀ ଅଫ୍‌ ସାଇନ୍ସର(ସିଏଏସ୍‌)ର ଏକ ଗବେଷଣା ସଂସ୍ଥାନର ପରମାଣୁ ସୁରକ୍ଷା ବିଭାଗ(Nuclear Security Science)ରୁ ୯୦ ଜଣ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା ବର୍ତ୍ତମାନ ଚାଇନାରେ ଚହଳ ପକାଇଛି। ତେବେ କାହିଁକି ହଠାତ୍ ଏତେ ସଂଖ୍ୟାକ ବୈଜ୍ଞାନିକ ଇସ୍ତଫା ଦେଲେ ସେନେଇ ତଦନ୍ତ କରିବାକୁ ଏକ ଇନ୍‌ଭେଷ୍ଟିଗେସନ ଟିମ୍ ପଠାଇଛି ଚାଇନା କ୍ୟାବିନେଟ୍‌। ଏନେଇ ସିଏଏସ୍ ସୂଚନା ଦେଇଛି।

ମଙ୍ଗଳବାର ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେବା ନେଇ ସିଏଏସ ସୂଚନା ଦେବା ପରେ ଏହି ଘଟଣାରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଚାଇନା ସରକାର ପଠାଇଥିବା ତଦନ୍ତକାରୀ ଦଳରେ ଷ୍ଟେଟ୍ କାଉନ୍‌ସିଲ୍‌ ଜେନେରାଲ୍‌ ଅଫିସ୍‌, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ସିଏଏସ୍‌ ସହିତ ଅନ୍ୟ ବିଭାଗର କର୍ମଚାରୀମାନେ ସାମିଲ୍ ଅଛନ୍ତି। ଘଟଣାରେ ଯାଞ୍ଚ ପାଇଁ ତଦନ୍ତକାରୀ ଟିମ୍‌ ଅନୁହୁଇ ପ୍ରଦେଶର ହେଫେ ଅଭିମୁଖେ ଯିବେ ବୋଲି ଏକାଡେମୀ ସୂଚନା ଦେଇଛି।

ସିଏଏସ୍‌ର ପରମାଣୁ ଶକ୍ତି ସୁରକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(Institute Of Nuclear Energy Safety Technology) ରୁ ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେବା ପରେ ନାନା କଥା ଶୁଣିବାକୁ ମିଳୁଛି। ଆନୁଷ୍ଠାନିକ ଅମଲାତନ୍ତ୍ର, ବେଆଇନ୍‌ ଭାବେ କର୍ମଚାରୀ ଛଟେଇ, ଓ ଯୁବ ବୈଜ୍ଞାନିକଙ୍କ ପ୍ରତିଭାର ବିକାଶ ପାଇଁ ଉପଯୁକ୍ତ ଆର୍ଥିକ ସହାୟତା ମିଳୁଥିବାରୁ ବୈଜ୍ଞାନିକମାନେ ଇସ୍ତଫା ଦେଇଥିବା କୁହାଯାଉଛି।

ନିକଟରେ ଏନେଇ ଚାଇନା ଗଣମାଧ୍ୟମରେ ଇନ୍‌ଷ୍ଟିଟ୍ୟୁଟ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ସମସ୍ତେ ବ୍ୟକ୍ତିଗତ କାରଣରୁ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକ ଘରୋଇ କମ୍ପାନୀରେ ଯୋଡ଼ି ହୋଇ ଗବେଷଣାକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବାକୁ ଇସ୍ତଫା ଦେଇଥିଲେ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଥିଲା।

You might also like