ଅଷ୍ଟ୍ରେଲିଆରୁ ଆସିଲା ଚିଠି, ୫୦ ବର୍ଷ ପରେ ପ୍ରେମିକାର ସନ୍ଧାନ ପାଇ ପ୍ରେମରେ ଉବୁଟୁବୁ ୮୨ ବର୍ଷିୟ ବୃଦ୍ଧ

ରାଜସ୍ଥାନର ଏକ ନିଆରା ପ୍ରେମ କାହାଣୀ

ଜେସଲମେର : ମରୁଭୂମିରେ ଅଙ୍କୁରିତ ହୋଇଥିଲା ପ୍ରେମର ବୀଜ । ବିଦେଶୀନିଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେଶୀ ଯୁବକ । ସବୁ ଆଶା ଆକାଂକ୍ଷାକୁ ପୂରଣ କରି ଦରିଆ ସେପାରିରୁ ଚିଠି ଆସିଛି । ଆଉ ପହିଲି ପ୍ରେମକୁ ଫେରି ପାଇଛନ୍ତି ୮୨ ବର୍ଷ ବୟସ୍କ ବୃଦ୍ଧ । ୫୦ ବର୍ଷ ପୁରଣା ଭଲପାଇବାରେ ପୁଣି ଡେଣା ଲାଗି ଯାଇଛି ।  ପ୍ରେମିକାର ସନ୍ଧାନ ପାଇ ରାଜସ୍ଥାନର ଜେସଲମେର ନିକଟ କୁଳଧରା ଗ୍ରାମର  ୮୨ ବର୍ଷ ବୟସ୍କ ବୃଦ୍ଧ ଏବେ ୨୧ ବର୍ଷ ବୟସ ଯୁବକ ପରି ଅନୁଭବ କରୁଛନ୍ତି।  ଥରର ଏକ ଭୂତିଆ ଗାଁରେ ଗ୍ରାମରାକ୍ଷୀ ଭାବରେ କାର୍ଯ୍ୟ କରୁଥିବା ବୃଦ୍ଧ ଜଣକ ଦୀର୍ଘ ବର୍ଷ ପରେ ଗର୍ଲଫ୍ରେଣ୍ଡ ମରିନାଙ୍କ ଚିଠି ପାଇଛନ୍ତି । ୧୯୭୦ରେ ଦଶକରେ ଆରମ୍ଭରେ ହୋଇଥିବା ଦୁଇ ଜଣଙ୍କର ଏହି ପ୍ରେମ କାହାଣୀ ଏବେ ସତ ହେବାକୁ ଯାଉଛି ।

ରାଜସ୍ଥାନର ଏହି ବୃଦ୍ଧଙ୍କୁ ୩୦ ବର୍ଷ ହୋଇଥିବା ବେଳେ ବିଦେଶିନୀ ମରିନାଙ୍କୁ ପ୍ରଥମ ଦେଖାରେ ହିଁ ମନ ଦେଇ ବସିଥିଲେ । ୭୦ ଦଶକରେ ଅଷ୍ଟ୍ରେଲୀୟ ଯୁବତୀ ମରିନା ପାଞ୍ଚ ମାସ ପାଇଁ ରାଜସ୍ଥାନ ବୁଲିବାକୁ ଆସି ଗେଟ୍‌କିପରଙ୍କ ପ୍ରେମରେ ପଡ଼ିଯାଇଥିଲେ । ଅଳ୍ପ ଦିନରେ ପ୍ରେମ ସମ୍ପର୍କ ଖୁବ ନି‍ବିଡ଼ ହୋଇଗଲା । ଆଉ ସେ ସମୟରେ ମରୁଭୂମିରେ ଓଟ ଚଳାଇବା ଶିଖାଇଥିଲେ ରାଜସ୍ଥାନର ଏହି ବୃଦ୍ଧ । ମନେ ମନେ ପ୍ରେମ ହୋଇଥିଲେ ହେଁ ପ୍ରେମିକା ଆଗରେ କହିପାରି ନଥିଲେ । କାଳେ ମନା କରିଦେବେ ଭାବି ପ୍ରପୋଜ୍ କରିବାକୁ ଲାଜ ଲାଗୁଥିବା କଥା ସେ ପ୍ରକାଶ କରିଛନ୍ତି ।  ତେବେ ମରିନା ନିଜ ଆଡ଼ୁ ପ୍ରଥମ ଥର ଆଉ ଲଭ ୟୁ କହିଥିଲେ। ଆଉ ତାଙ୍କ ଠାରୁ ପ୍ରେମ ନିବେଦନ ପାଇ ଲାଜରେ ଲାଲ୍ ପଡ଼ିଯାଇଲେ।

ଚାହୁଁ ଚାହୁଁ ଏପରି ୫ ମାସ ବିତି ଯାଇଥିଲା । ଆଉ ଏସବୁ ଭିତରେ ମରିନାଙ୍କର  ଅଷ୍ଟ୍ରେଲିଆ ଫେରିବାର ସମୟ ଆସିଯାଇଥିଲା। ଆଉ ସେ ସ୍ୱଦେଶ ଫେରିଗଲେ । ଦେଶକୁ ଫେରିଥିଲେ ସୁଦ୍ଧା ଦେଶୀ ଯୁବକଙ୍କ ପ୍ରେମକୁ ଭୁଲିପାରିନଥିଲେ ବିଦେଶିନୀ। ଉଭୟଙ୍କ ମଧ୍ୟରେ ପ୍ରତି ସପ୍ତାହରେ ଚିଠି ଦିଆନିଆ ହେଉଥିଲା ।

ତେବେ ଦିନେ ଘର ଲୋକଙ୍କୁ ଲୁଚାଇ ୩୦ ହଜାର ଟଙ୍କା ନେଇ ମରିନାଙ୍କୁ ଦେଖା କରିବାକୁ ମେଲବୋର୍ଣ୍ଣ ଚାଲିଯାଇଲେ ସଂପୃକ୍ତ ବ୍ୟକ୍ତି ।  ଆଉ ସେଠାରେ ମରିନାଙ୍କ ସହ ତିନି ମାସ ବିତାଇଥିଲେ । ସେ ସମୟର ଅନୁଭୂତି ବଖାଣି ଭାବୁକ ହୋଇଯାଇଛନ୍ତି ବୃଦ୍ଧ ଜଣକ । ମରିନା ସେଠାରେ ତାଙ୍କୁ ଇଂଲିସ କହିବା ଶିଖାଇଥିଲେ । ଉଭୟେ ବିବାହ କରିବା ପାଇଁ ମନସ୍ଥ କରିଥିଲେ । ମରିନା ତାଙ୍କ ଆଡ଼ୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ତାଙ୍କୁ ଓ ଅଷ୍ଟ୍ରେଲିଆରେ ରହିବା ପାଇଁ ଅନୁରୋଧ କରିଥିଲେ । ହେଲେ ଜନ୍ମଭୂମି ଛାଡି ଅଷ୍ଟ୍ରେଲିଆରେ ରହିବା ତାଙ୍କ ପାଇଁ କଷ୍ଟକର ଥିଲା। ଅନ୍ୟପଟେ ମରିନା ଭାରତରେ ରହିବାକୁ ଚାହୁଁନଥିଲେ । ଶେଷରେ ଅନେକ ଚିନ୍ତା କରିବା ପରେ ଉଭୟେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ।

ପରେ ଭାରତ ଫେରିବା ପରେ ପରିବାର ଚାପରେ ବିବାହ କରି ସେ ଗ୍ରାମରକ୍ଷୀ ଭାବରେ କାମ ଆରମ୍ଭ କରିଥିଲେ।  ତେବେ ସେ କୁହନ୍ତି, ବିବାହ ପରେ ମଧ୍ୟ  ମୁଁ ସବୁବେଳେ ମରିନାଙ୍କ ବିଷୟରେ ଚିନ୍ତା କରୁଥିଲି। ସେ ବିବାହ କରିଥିବେ ନା ନାହଁ, ମୋତେ ମନେ ରଖିଥିବେ ନା ନାହିଁ ଇତ୍ୟାଦି କଥା ମନରେ ଆସୁଥିଲା । ଆଉ କେବେ ଦେଖିପାରିବି କି ନାହିଁ ବୋଲି ମଧ୍ୟ ଚିନ୍ତା କରୁଥିଲେ । ସେପଟେ ସମୟ ଗଡିବା ସହ ପରିବାରର ଜଞ୍ଜାଳ ଭିତରେ ତାଙ୍କର ସ୍ମୃତି ଦୁର୍ବଳ ହୋଇଯାଉଥିଲା । ପୁଅ ମାଡ଼େ ବଡ଼ ବଡ଼ ହୋଇଯିବା ସହ ଦୁଇ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଦୀର୍ଘ ବର୍ଷ ପରେ ନିକଟରେ ତାଙ୍କ ପାଖକୁ ମରିନାଙ୍କ ଚିଠି ଆସିଥିଲା । ଆଉ ମରିନାଙ୍କ ଚିଠି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ଖୁସି କହିଲେ ନସରେ । ୫୦ ବର୍ଷ ପରେ ପ୍ରେମିକା ଖୋଜିଥିବାରୁ ସେ ବହୁତ ଖୁସି ।  ଏବେ ପ୍ରତିଦିନ କଲ୍ କରି ଉଭୟେ କଥା ହେଉଛନ୍ତି । ମରିନା ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଖୁବ୍ ଶୀଘ୍ର ମରିନା ଭାରତ ଆସିବେ ବୋଲି ଜଣାଇଛନ୍ତି । ତେବେ ଚିଠି ଆସିବା ପରେ ବୃଦ୍ଧ ଜଣଙ୍କ କହିଛନ୍ତି, ରାମଙ୍କ ରାଣ, ମୋତ୨୧ ବର୍ଷର ଯୁବକ ପରି ଲାଗୁଛି । ଜାଣିନି ଭବିଷ୍ୟତରେ କ’ଣ‌ ହେବ, କିନ୍ତୁ, ଜୀବନରେ ପ୍ରଥମ ପ୍ରେମ ଫେରିଆସିଛି।

 

You might also like