ଦମ ଦେଖାଇଲେ ୮୧ ବର୍ଷୀୟ ବୁଢ଼ୀ ମା’ : ରାସ୍ତା, ନାଳ ଆଦି ସମସ୍ୟାର ସମାଧାନ କରିବାକୁ ନିର୍ବାଚନୀ ମଇଦାନରେ ରାନୀ ଅମ୍ମା

କାନପୁର: ନିର୍ବାଚନୀ ରଣକ୍ଷେତ୍ରରେ ବୁଢ଼ୀ ମା । ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବେଳେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ରାନୀ ଅମ୍ମା । ପାଟି ଖନି ମାରିଯାଉଛି, ତଥାପି ଗାଁ ଗାଁ ବୁଲୁଛନ୍ତି ।  ତଥାକଥିତ ରାଜନେତାଙ୍କ ପରି ନୁହେଁ ଅଞ୍ଚଳବାସୀଙ୍କ ଦୁଃଖ ବୁଝି ତାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଅର୍ଥବଳ କି ବାହୁବଳ ନୁହେଁ ଜନତାଙ୍କ ସମର୍ଥନ ବଳରେ ନିର୍ବାଚନରେ ବିଜୟୀ ହେବାକୁ ପଣ କରିଛନ୍ତି ।

ଦେଶରେ ବର୍ତ୍ତମାନ ଚାରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମତଦାନ ଚାଲିଛି । ବିକାଶକୁ ମୁଦ୍ଦା କରି ନିର୍ବାଚନ ଜିତିବାକୁ ପ୍ରୟାସ ଚଳାଇଛନ୍ତି ପ୍ରାର୍ଥୀ । ନିଜ ଅଞ୍ଚଳର ବିକାଶ କରିବେ, ଗମନାଗମନ ସୁବିଧା ହେବ ଏବଂ ରୋଜଗାର ସୃଷ୍ଟି କରିବେ ଏପରି ଅନେକ ପ୍ରତିଶ୍ରୁତି ଦେଇ ଭୋଟ ଗୋଟାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନିଜ ଅଞ୍ଚଳର ବିକାଶ ପାଇଁ  ନିର୍ବାଚନୀ ମଇଦାନରେ ଛିଡ଼ା ହେବାକୁ ପ୍ରକୃତ ଆଗ୍ରହ ଦେଖାଇଛନ୍ତି କାନପୁର ନିବାସୀ ୮୧ ବର୍ଷୀୟ ବୃଦ୍ଧ ମହିଳା । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁରେ ବିକାଶ ଛୁଇଁ ନଥିବାରୁ ଏ ବୟସରେ ସେ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ଗାଁର ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଥିବା ବେଳେ ନିର୍ବାଚନ ଜିତି ଗାଁର ଅବସ୍ଥାରେ ସୁଧାର ଆଣିବାକୁ ଇଚ୍ଛା ରଖିଛନ୍ତି ।

ରାନୀ ଅମ୍ମା ଶନିବାର କାନପୁର ଚୌବେପୁର ବ୍ଲକରୁ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ତାଙ୍କର ସମର୍ଥନରେ ଆସିଥିବା ଜନତାଙ୍କ ଶୋଭାଯାତ୍ରା ଦେଖି ବିରୋଧୀ ଆବାକାବା ହୋଇଯାଇଛନ୍ତି । ଗାଁକୁ ତାଙ୍କର ରାସ୍ତାଟିଏ ନଥିବା ବେଳେ ନାଁ ଅଛି ପାଣି ସୁବିଧା, ନାଁ ଜଳୁଛି ଶିକ୍ଷାର ଆଲୋକ । ଗାଁର ନାଳନର୍ଦ୍ଦମା ନିୟମିତ ବ୍ୟବଧାନରେ ସଫା ମଧ୍ୟ ହେଉନି  । ବର୍ଷ ବର୍ଷ ଧରି ନର୍ଦ୍ଦମା ପାଣି ଯୋଗୁଁ ପୂତିଗନ୍ଧମୟ ପରିବେଶରେ ଦିନ କାଟୁଛନ୍ତି ଲୋକେ । ତେବେ ନିର୍ବାଚନ ଜିତିବା ପରେ ପ୍ରଥମେ ଗାଁର ସ୍ଥିତିକୁ ଠିକ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ରାନୀ ଅମ୍ମା କହିଛନ୍ତି, ଗାଁର ନାଳ ଓ ରାସ୍ତାର ଅବସ୍ଥା ନକହିବା ଭଲ । ନର୍ଦ୍ଦମା ପାଣି ଯୋଗୁଁ ରୋଗଗ୍ରସ୍ତ ହେଉଛନ୍ତି ଲୋକେ  । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗାଁ ଲୋକେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ସମସ୍ୟାର ସବମାଧାନ ହୋଇପାରି ନାହିଁ । ତେବେ ବୁଢ଼ୀ ମା’ ନିର୍ବାଚନରେ ବିଜୟ ଟୀକା ପିନ୍ଧିବେ କି ନାହିଁ ସମୟ କହିବ । କିନ୍ତୁ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ପାଇଁ ଏହି ଘଟଣା ଲଜ୍ଜାର ବିଷୟ । ମୌଳିକ ସୁବିଧା ପାଇଁ ୮୧ ବର୍ଷୀୟ ମହିଳାଙ୍କୁ ନିର୍ବାଚନୀ ରଣରେ ଓହ୍ଲାଇବାକୁ ପଡ଼ିଛି ।

ସେପଟେ ବୁଢ଼ୀ ମା’ ନିବାଚନୀ ରାଜନୀତିରେ ଝାସ ଦେବା ପରେ ଲୋକଙ୍କ ମନରେ ମଧ୍ୟ ଯୋସ୍ ଆସିଯାଇଛି । ସେମାନେ ତାଙ୍କୁ ଜିତାଇବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି । ଚାରିଆଡ଼ରେ ତାଙ୍କ ସମର୍ଥନରେ ରାଲି ଓ ଶୋଭାଯାତ୍ରା ଚାଲିଛି ।  ଅନ୍ୟପଟେ ବୁଢ଼ୀ ମା’ଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କୁ ଏବେ ପରାଜୟ ଭୟ ଘାରିଛି ।

 

You might also like