ଜଣେ ପୁଅ ନେତା, ଅନ୍ୟ ଜଣେ ଅଫିସର, ହେଲେ ରାସ୍ତା ଉପରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
ଚଣ୍ଡିଗଡ଼: ସନ୍ତାନକୁ ନେଇ ପ୍ରତ୍ୟେକ ବାପା-ମା’ଙ୍କ ମନରେ ଅନେକ ଆଶା, ସ୍ୱପ୍ନ। ତାଙ୍କର ପିଲା ଭଲ ପାଠ ପଢିବ, ଭଲ ଚାକିରୀ କରିବ, ଭଲ ମଣିଷ ହେବ ଆଉ ବାର୍ଦ୍ଧକ୍ୟର ତାଙ୍କର ସହାରା ହେବ…ଏମିତି ଅନେକ। ନିଜର ଅପୂରଣୀୟ ସ୍ୱପ୍ନ ସନ୍ତାନ ଆଖିରେ ଦେଖିବାକୁ ଚାହାନ୍ତି ପ୍ରତ୍ୟେକ ବାପା-ମା’। ଏଥିପାଇଁ ସେମାନେ ସବୁ କଷ୍ଟକୁ ହସି ହସି ବରି ନେଇଥାନ୍ତି। ହେଲେ ସେମାନଙ୍କ ସ୍ୱପ୍ନ ଅପୂରଣୀୟ ରହିଯାଏ। ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇ ଯାଆନ୍ତି ଠିକ୍ ଚଣ୍ଡୀଗଡ଼ର ଏଇ ବୃଦ୍ଧା ମା’ଙ୍କ ପରି।
ପଞ୍ଜାବର ଶ୍ରୀ ମୁକ୍ତସର ସାହିବରେ ୮୦ ବର୍ଷୀୟ ଜଣେ ବୃଦ୍ଧାଙ୍କୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁଜ୍ଜର ରୋଡରେ ଏକ ନୁଆଁଣିଆଁ ଝାଟିମାଟି କୁଡ଼ିଆରେ ରହୁଥିଲେ ବୃଦ୍ଧା ଜଣକ। ୨ ଫୁଟ ଉଚ୍ଚ ଏଇ କୁଡିଆ ଭିତରେ ପଡ଼ିଥିବା ଭଙ୍ଗା ପ୍ଲାଇ ଭିତରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇବା ପାଇଁ ଯଥେଷ୍ଟ ପୋଷାକ ନ ଥିଲା ଦେହରେ। ମୁଣ୍ଡରେ ପୋକ ସାଲୁବାଲୁ ହେଉଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିଲେ।
ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ବୃଦ୍ଧାଙ୍କୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ନିକଟସ୍ଥ ସମାଜସେବୀ ସଂଗଠନକୁ ଦେଇଥିଲେ। ଉକ୍ତ ସଂଗଠନର କର୍ମୀମାନେ ପୋଲିସ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଦୁଃଖର କଥା, ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ସମୟ ପରେ ବୃଦ୍ଧା ଜଣକ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ପରେ ମହିଳାଙ୍କ ପରିଚୟ ଖୋଜିବାରୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା। ତଥ୍ୟ ନୁହେଁ ତ ମଣିଷ ସମାଜ ପାଇଁ ଲଜ୍ଜା। ବୃଦ୍ଧାଙ୍କର ଦୁଇ ଦୁଇଟି ପୁଅ ଅଛନ୍ତି। କେହି କାହାକୁ କମ୍ ନୁହଁନ୍ତି। ଜଣେ ପୁଅ ବରିଷ୍ଠ ଅଧିକାରୀ ପଦରେ ଅଛନ୍ତି ଏବଂ ଅନ୍ୟ ଜଣେ ପୁଅ ନେତା। ସେତିକି ନୁହେଁ, ବୃଦ୍ଧାଙ୍କର ଜଣେ ନାତୁଣୀ ପିସିଏସ୍ ଅଧିକାରୀ। ହେଲେ କେହି ତାଙ୍କୁ ଚାହିଁ ନ ଥିଲେ। ଏମିତି ଅସହାୟ ଅବସ୍ଥାରେ ସେ ଆଖି ବୁଜିଦେଲେ।
ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଥିଲା, ବୃଦ୍ଧାଙ୍କ ମୁଣ୍ଡରେ ପୋକ ହୋଇ ଯାଇଥିଲା। ନିଃଶ୍ୱାସ ନେଲାବେଳେ ଯନ୍ତ୍ରଣା ଅନୁଭବ କରୁଥିଲେ। ବୃଦ୍ଧାଙ୍କ ପୁଅଙ୍କୁ ଖବର ଦିଆଯାଇଥିଲା। ଶେଷ ମୁହୂର୍ତ୍ତରେ ପୁଅ ଡାକ୍ତରଖାନାରେ ଆସି ପହଞ୍ଚିଥିଲେ ଏବଂ ମା’ଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ମଧ୍ୟ ନେଇଥିଲେ। ହେଲେ ପୁଅଙ୍କ ସେବାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ ମା‘। ସେଠାରେ ସେ ଆଖି ବୁଜି ଦେଇଥିଲେ।
ଘଟଣାର ଯାଞ୍ଚ ପରେ ଜଣାଯାଇଛି, ମହିଳାଜଣକ ଆରା କୋଟଲି ରୋଡ୍ରେ ରହୁଥିଲେ। ପିଲାମାନେ ତାଙ୍କର ଦେଖାଶୁଣା ପାଇଁ ଜଣେ ଲୋକ ରଖିଥିଲେ। ମାସିକ ଟଙ୍କା ମଧ୍ୟ ନେଉଥିଲା। ହେଲେ ସେ ମହିଳାଙ୍କ ଦେଖାଶୁଣା ଠିକ୍ରେ କରୁ ନ ଥିଲା।