କୋଭିଡ ଟିକା ନେବା ପରେ ୮ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୮ ଜଣ ମହିଳା ଆରକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶନିବାର ସକାଳୁ ଖରାପ ହୋଇଯାଇଛି। ଏହି ଖବର ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୮ ମହିଳା କନ୍‌ଷ୍ଟେବଲ୍‌ଙ୍କୁ ଶ୍ରୀରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍‌ ଏମାନଙ୍କ ଉପରେ ନଜର ରଖିଛନ୍ତି। ଏହି ମହିଳା କନ୍‌ଷ୍ଟେବଲ୍‌ମାନେ ଶୁକ୍ରବାର ଜିଲ୍ଲାରେ ହୋଇଥିବା କୋଭିଡ-୧୯ ଟିକାକରଣରେ ସାମିଲ ହୋଇ ଟିକା ନେଇଥିଲେ।

ଆଜି ସକାଳୁ ଏହି ମହିଳା କନ୍‌ଷ୍ଟେବଲ୍‌ମାନେ ନିଜ ନିଜ କର୍ମସ୍ଥଳୀରେ ପହଞ୍ଚିଥିଲେ। ସକାଳୁ ସକାଳୁ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କର ମୁଣ୍ଡ ବିନ୍ଧା ହେବା ସହ ବାନ୍ତି ହୋଇଥିଲା। D1, D2 ଏବଂ D3ରେ ଡ୍ୟୁଟିରେ ଥିବା ଏକାଧିକ ମହିଳା ସୁରକ୍ଷା କର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଅନ୍ୟମାନେ ଭୟଭୀତ ହୋଇ ଯାଇଥିଲେ। ଅନ୍ୟ ସୁରକ୍ଷାକର୍ମୀମାନେ ଏ ସଂକ୍ରାନ୍ତରେ ସୂଚନା ଅଧିକାରୀଙ୍କୁ ଦେଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ମହିଳା ସୁରକ୍ଷା କର୍ମୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉଜୈର ଅହମ୍ମଦ ଅନ୍‌ସାରୀଙ୍କ କହିବା ଅନୁଯାୟୀ, ଏସବୁ ଲକ୍ଷଣ ସାମାନ୍ୟ ଅଟେ। ଏପରି ସମସ୍ୟା କରୋନା ଭାକ୍ସିନ ନେବା ପରେ ପ୍ରାୟ ଆସିଥାଏ। ଏଥିରେ ଶରୀର ଦରଜ ହେବା ସହ ହାଲିଆ ଭାବ ବଢିଯାଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ, ଯେ କୌଣସି ଟିକା ନେଲେ ଏହି ପ୍ରକାର ସାଇଡ ଇଫେକ୍ଟ ଦେଖା ଦେଇଥାଏ।

ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ରକ୍ତଚାପ ସ୍ୱାଭାବିକ ଅଛି। ଡାକ୍ତରୀ ଟିମ୍‌ ସେମାନଙ୍କ ଉପରେ ନଜର ରଖିଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସୂଚନା ଥାଉ କି, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶୁକ୍ରବାର ଲୋକସଭାରେ ସୂଚନା ଦେଇ କହିଛନ୍ତି, ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ ହେବ। ସାଂସଦଙ୍କ ଏକ ପ୍ରଶ୍ନର ଏକ ଉତ୍ତରରେ ହର୍ଷବର୍ଦ୍ଧନ କହିଛନ୍ତି, କୋଭିଡ-୧୯ର ଦୁଇ ଡୋଜ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାନୁଆରୀ ୧୬ ତାରିଖ ୨୦୨୧ରେ ଆରମ୍ଭ କରାଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ଆହୁରି ୭ଟି ଟିକା ଉପରେ ଗବେଷଣା ଚାଲିଛି। ଏଥିମଧ୍ୟରୁ ୩ଟି ଟିକା କ୍ଲିନିକାଲ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ରହିଛି। ୨ଟି ଟିକା କ୍ଲିନିକାଲ ଟ୍ରାଏଲର ପ୍ରଥମ ଏବଂ ୨ୟ ପର୍ଯ୍ୟାୟରେ ରହିଛି। ୨ଟି ଟିକା ପ୍ରି-କ୍ଲିନିକାଲ ଷ୍ଟେଜ୍‌ରେ ରହିଛି। ତେବେ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବା ଲକ୍ଷ୍ୟ ରହିଛି।

You might also like