ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର ୮ ମୃତ

ରାଇପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ବିଭିନ୍ନ ପ୍ରକାରର ଟିପ୍ସ ସବୁ ଆପଣାଉଛନ୍ତି। ଯାହା ସେମାନଙ୍କ ପାଇଁ ପରେ ବିପଦଜ୍ଜନକ ସାବ୍ୟସ୍ତ ହେଉଛି। ଏଭଳି ଏକ ଘଟଣା ଛତିଶଗଡର ବିଳାସପୁରରେ ଘଟିଛି। ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି। ଏମାନେ ସମସ୍ତେ ହୋମିଓପାଥିକ ମେଡିସିନ ଖାଇଥିଲେ। ଏହାପରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଳାସପୁର ସିଏମଓ କହିଛନ୍ତି।

ସେ ଆହୁରି କହିଛନ୍ତି, ସେମାନେ ଖାଇଥିବା ହୋମିଓପାଥିକ ମେଡିସିନରେ ଆଲକହଲର ମାତ୍ରା ଅଧିକ ଥିଲା। ସ୍ବାସ୍ଥ୍ୟ ବିଭାଗର ଟିମ ଘଟଣାର ଯାଞ୍ଚ କରୁଛନ୍ତି। ଯାଞ୍ଚ ପରେ ରିପୋର୍ଟ ଆସିବା ପରେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିବ।ହେଲେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ହୋମିଓପାଥିକ ମେଡ଼ିସିନ ଖାଇବା ଯୋଗୁ ଏଭଳି ଘଟିଛି।

ଘଟଣାପରେ ହୋମିଓପାଥିକ ମେଡ଼ିସିନ ଦେଇଥିବା ଡାକ୍ତର ଫେରାର ହୋଇଯାଇଛନ୍ତି। ପୋଲିସ ତାଙ୍କୁ ଖୋଜୁଛନ୍ତି।

ଦେଶରେ ଆଜି ୪ ଲକ୍ଷ ୧୨ ହଜାର ୨୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଆଉ ଏହାରି ମଧ୍ୟରେ ଦେଶରେ ଦିନକରେ ୩ ହଜାର ୯୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮କୁ ବୃଦ୍ଧି ପାଇଛି।

You might also like