ହଠାତ୍ ଶୁଭିଲା ଭୟଙ୍କର ବିସ୍ଫୋରଣ; ଭାଙ୍ଗିଲା ଘର, ଫାଟିଲା ରାସ୍ତା…ଚାଲିଗଲା ୬ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିଭମୋଗା ଜିଲ୍ଲାରେ ଏକ ପଥର ଖାଦାନରେ ଡିନାମାଇଟ୍ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ରାତି ପ୍ରାୟ ୧୦ଟା ୩୦ରେ ହୁନାସୋନ୍ଦି ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ Bomb disposal ସ୍କ୍ୱାଡ୍‌ଙ୍କୁ ଡକାଯିବା ସହ ପୂରା ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ସେହି ସମୟରେ ଲୋକମାନଙ୍କୁ ଭୂକମ୍ପ ଝଟ୍‌କା ଭଳି ଏହା ଅନୁଭୂତ ହୋଇଥିଲା ଓ ଭୂବୈଜ୍ଞାନିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ପରେ ଜଣାପଡ଼ିଥିଲା ଯେ, ପଥର ଖାଦାନରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଘରର ଝରକା କାଚ ଭାଙ୍ଗିଯିବା ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏପରିକି ରାସ୍ତାରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

କୁହାଯାଉଛି ଯେ, ଗୁରୁବାର ରାତିରେ ଟ୍ରକ୍‌ରେ ଭର୍ତ୍ତି ହୋଇଥିବା ବିସ୍ଫୋରକ ସାମଗ୍ରୀ ହଠାତ୍‌ ବିସ୍ଫୋରଣ ହୋଇଯାଇଥିଲା। ଏହି ବିସ୍ଫୋରକ ସାମଗ୍ରୀ ଖନନ କାର୍ଯ୍ୟରେ ବ୍ୟବହୃତ ହେବାପାଇଁ ନିଆଯାଉଥିଲା ବୋଲି ଜଣାପଡ଼ିଛି। ପଥର କଟା ଯାଉଥିବା ଏକ ସ୍ଥାନରେ ରାତି ରାତି ପ୍ରାୟ ୧୦ଟା ୩୦ରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଭାବ କେବଳ ଶିଭମୋଗା ଜିଲ୍ଲାରେ ଅନୁଭୂତ ହୋଇନାହିଁ ବରଂ ଏହା ନିକଟସ୍ଥ ଚିକ୍କମଗଲୁରୁ ଓ ଡାଭାନାଗେରେ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା।

ବିସ୍ଫୋରଣ ପରେ ପୂରା ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। କିଛି ମୃତଦେହ ବିସ୍ଫୋରଣ ସ୍ଥଳରେ ପଡ଼ି ରହିଥିବା ଆଶଙ୍କା କରାଯାଉଛି।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ୍‌ କରାଯାଇଛି।

You might also like