ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ରାଇପୁର: ନବରାତ୍ରରେ ୮ ଦିନ ଯାଏ ଉପବାସ ରଖିଥିବା ଜଣେ ବ୍ୟକ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳାଙ୍କ ମୃତଦେହ ନବରାତ୍ରର ୮ମ ଦିନ ରାତିରେ ପୂଜା ଘର ଭିତରୁ ମିଳିଥିବା ଜଣାପଡ଼ିଛି।

ମୃତଦେହ ଉଦ୍ଧାର ହୋଇଥିବା ପାରିପାର୍ଶ୍ୱିକ ସ୍ଥିତି ଦେଖି ପୋଲିସ୍‌ ଆଶଙ୍କା କରୁଛି ଯେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ନରବଳି ଦେଇଛନ୍ତି। ହେଲେ ପ୍ରକୃତରେ କାହିଁକି ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଅମ୍ବିକାପୁର ଜିଲ୍ଲା ସରଙ୍ଗୱା ଗାଁର ଏହି ବ୍ୟକ୍ତି ଜଣକ ପତ୍ନୀଙ୍କୁ ହତ୍ୟା କରି ପୂଜା ଘରେ ମୃତଦେହ ରଖିଥିଲେ ବୋଲି ଜଣାପଡ଼ିଛି। ଯେଉଁଦିନ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ସେହି ଦିନ ତାଙ୍କ ଘରକୁ କିଛି ଅତିଥି ଆସିଥିଲେ। ରାତିରେ ସମସ୍ତେ ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ। ଏହାର ପରଦିନ ପୂଜା ଘର ଭିତରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲେ। ଏହି ସମୟରେ ସେ ପୋଲିସ୍‌ ସାମ୍ନାରେ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ସେ ଝଡ଼ାଫୁଙ୍ଖା କରନ୍ତି ବୋଲି ଜଣାପଡ଼ିଛି।

ମୃତଦେହ ଉଦ୍ଧାର ହୋଇଥିବା ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ଆଶଙ୍କା କରାଯାଉଛି ଯେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ନରବଳି ଦେଇଛନ୍ତି। ହେଲେ ବ୍ୟକ୍ତି ଜଣକ ବାରମ୍ବାର ତାଙ୍କ ବୟାନ ବଦଳାଉ ଥିବାରୁ ପୋଲିସ୍‌ ସବୁ ଦିଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like