କରୋନା କବଳରେ ଡାକ୍ତର ! ବଢ଼ୁଛି ମୃତ୍ୟୁ ସଂଖ୍ୟା, ସତର୍କତାର ସହ ଚିକିତ୍ସା କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନା କବଳରେ ଡାକ୍ତର । ଦ୍ୱିତୀୟ ଲହର ସଂକ୍ରମଣ ଆରମ୍ଭରୁ ଏଯାଏଁ ଆଖି ବୁଜିଲେଣି ୨୬୯ ଡାକ୍ତର । ଦ୍ୱିତୀୟ ଲହରରେ ମହାମାରୀ କ୍ଷୀପ୍ର ଗତିରେ ବ୍ୟାପୁଥିବା ଏବଂ ଏହା ଅଧିକ ଘାତକ ହେଉଥିବାରୁ ଏତେ ସଂଖ୍ୟକ ଡାକ୍ତରଙ୍କୁ ହରାଇବାକୁ ପଡ଼ିଥିବା କହିଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ସଭାପତି ଡାକ୍ତର ଜେ.ଏ ଜୟାଲ ।

ସେ ଦେଇଥିବା ତଥ୍ୟ ଅନୁସାରେ ଦ୍ୱିତୀୟ ଲହରରେ ବିହାରରେ ସର୍ବାଧିକ ୭୮ ଜଣ ଡାକ୍ତର ମୃତ୍ୟୁ ବରଣ କରିଥିବା ବେଳେ, ଉତ୍ତରପ୍ରଦେଶରେ ୩୭, ଦିଲ୍ଲୀରେ ୨୯ ଏବଂ ଆନ୍ଧ୍ରପ୍ରଦେଶରେ ୨୨ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିପରି ଓଡ଼ିଶାରେ ୧୦ ଜଣ ଡାକ୍ତର କରୋନାରେ ଅଖି ବୁଜିଛନ୍ତି । IMAର ପୂର୍ବତନ ସଭାପତି କେ.କେ. ଅଗରଓ୍ୱାଲଙ୍କର ମଧ୍ୟ ସୋମବାର କରୋନାରେ ମୃତ୍ୟୁ ହୋଇଛି । ତେବେ କରୋନା ପ୍ରତି ସତର୍କ ରହି ଚିକିତ୍ସା କରିବାକୁ ସେ ଡାକ୍ତରମାନଙ୍କୁ ଦେଇଥିବା ପରାମର୍ଶର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏପଟେ ଆଇଏମଏର ପୂର୍ବତନ ସଭାପତି ପଦ୍ମଶ୍ରୀ ଡାକ୍ତର କେ.କେ. ଅଗରଓ୍ୱାଲଙ୍କ ଅକାଳ ବିୟୋଗରେ ଗଭୀର ଦୁଖ ପ୍ରକାଶ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କରୋନାର ପ୍ରଥମ ଲହରରେ ଦେଶରେ ୭୪୮ ଜଣ ଡାକ୍ତର ମୃତ୍ୟୁ ବରଣ କରିଥିଲେ ।

ଅନ୍ୟପଟେ ଦେଶରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଆଜି ଦେଶରେ ରକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ ପଜିଟିଭିଟି ହାର ୧୬.୯% ରହିଛି । ଭାରତରେ ଏଯାବତ ମାତ୍ର ୧.୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଆମେରିକାରେ ସର୍ବାଧିକ ୧୦.୧% ସଂକ୍ରମିତ, ବ୍ରାଜିଲରେ ୭.୩% ।

ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶରେ ସଂକ୍ରମଣ କମୁଛି । ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୮ଟି ରାଜ୍ୟରେ କମୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସେହିଭଳି ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି । ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି । ଲାକ୍ଷାଦ୍ୱୀପରେ ସର୍ବାଧିକ ୬୪.୭% ପଜିଟିଭିଟି ରହିଛି । ଗୋଆ ୩୭, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ହାର ୩୧% ରହିଥିବା ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

You might also like