ଭାରତରେ କାୟା ବିସ୍ତାର କରୁଛି ବ୍ରିଟେନ୍ ଷ୍ଟ୍ରେନ୍; ୭୩ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଚାଇନା ପରେ ଏବେ ବ୍ରିଟେନ୍ରୁ ଆସିଥିବା ନୂଆ କରୋନା ଭାଇରସ୍ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୩ ଜଣ ବ୍ରିଟେନ୍ ଭ୍ୟାରିଏଣ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ୭୧ ସାର୍ସ କୋଭ୍-୨ ଭାଇରସ ଚିହ୍ଟଟ ହୋଇଥିଲା ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ୨୪ ଘଣ୍ଟାରେ ଆଉ ଦୁଇ ଜଣ ଚିହ୍ନଟ ହୋଇଥିବାରୁ ବୁଧବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହୋଇଛି।
ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀରୁ ୨୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣେରୁ ୩୦ ଜଣ, ବେଙ୍ଗାଲୁରୁରୁ ୧୧, ହାଇଦ୍ରାବାଦରୁ ୩ ଓ କୋଲକାତାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କରୋନା ନୂଆ ଭାଇରସ୍କୁ ରୋକିବାକୁ ବ୍ୟାପକ ମାତ୍ରାରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ବ୍ରିଟେନ୍ ଫେରନ୍ତାଙ୍କ ସହିତ ଯାତ୍ରା କରିଥିବା ସହଯାତ୍ରୀ, ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।
ଭାରତରେ ବ୍ରିଟେନ୍ ଭ୍ୟାରିଏଣ୍ଟର ଚିହ୍ନଟ ହେବା ପରେ ଦେଶବାସୀ ଚିନ୍ତାରେ ପଡ଼ିଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଗତସପ୍ତାହରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ। ଏନେଇ ସେ କହିଥିଲେ ” ସ୍ଥିତି ଉପରେ ଗମ୍ଭୀର ଭାବରେ ନଜର ରଖାଯାଇଛି। ଏଥିପ୍ରତି କଡ଼ା ନଜର ରଖିବା, କଣ୍ଟେନ୍ମେଣ୍ଟ ଓ ଟେଷ୍ଟିଂ କରିବା ସହିତ ସାମ୍ପଲ ସଂଗ୍ରହ କରି INSACOG ଲାବକୁ ପଠାଇବାକୁ ରାଜ୍ୟଗୁଡ଼ିକୁ ବାରମ୍ବାର ଉପଦେଶ ଦିଆଯାଉଛି।”
ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଦେଶରେ କରୋନାର ବ୍ରିଟେନ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ସେହି ଦେଶଗୁଡ଼ିକ ହେଲା- ଡେନ୍ମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରାଲିଆ, ଇଟାଲୀ, ସ୍ୱିଡେନ୍, ଫ୍ରାନ୍ସ, ସ୍ପେନ୍, ସ୍ୱିଜର୍ଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ ଓ ସିଙ୍ଗାପୁର।
ସୂଚନା ଥାଉକି, ସରକାରୀ ତଥ୍ୟ ଅନୁସାରେ, ଭାରତକୁ ୩୩ ହଜାର ବ୍ରିଟେନ୍ ଫେରନ୍ତା ଆସିଛନ୍ତି। ନଭେମ୍ଭର ୨୫ ତାରିଖରୁ ଡିସେମ୍ବର ୨୩ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସେମାନେ ଦେଶର ବିଭିନ୍ନ ଏୟାରପୋର୍ଟରେ ଓହ୍ଲାଇଥିବା କୁହାଯାଉଛି।
ବ୍ରିଟେନ୍ରୁ ଆସିଥିବା କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ ସାର୍ସ କୋଭ-୨ କୁ ରୋକିବା ପାଇଁ ପୂର୍ବରୁ ଅନେକ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ବ୍ରିଟେନ୍ରୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବେ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ବ୍ୟାନ ଲଗାଇଛନ୍ତି। ତା ସହିତ ବ୍ୟାନ୍ ଉଠିଗଲା ପରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଏସ୍ଓପି ଜାରି ହୋଇଛି।
ଏସ୍ଓପି ଅନୁସାରେ, ବିମାନରେ ଯାତ୍ରୀ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ପ୍ରବାସୀମାନଙ୍କୁ ଏହି ରିପୋର୍ ଦାଖଲ କରିବାକୁ ପଡ଼ିବ। ଆଉ ଯଦି ରିପୋର୍ଟ ପଜିଟିଭ୍ ରହିଛି ତେବେ ଯାତ୍ରୀଙ୍କୁ ବିମାନରେ ବୋର୍ଡିଂ ପାଇଁ ଅନୁମତି ମିଳିବନି ବୋଲି ଏସ୍ଓପିରେ କୁହାଯାଇଛି।ସେହିପରି ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ନିଜ ଅର୍ଥରେ ଆର୍ଟିପିସିଆର୍ ଟେଷ୍ଟ କରିବାକୁ ବାଧ୍ୟତାମୁଳକ କରାଯାଇଛି।
ଯେଉଁ ଯାତ୍ରୀମାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ୧୪ ଦିନ ପାଇଁ କ୍ୱାରେଣ୍ଟିନ୍ରେ ରହିବେ। ସେହିପରି ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଏହି ଏସ୍ଓପି ଜାରି ରହିବ ଓ ଏହାପରେ କଣ ନିଷ୍ପତ୍ତି ନିଆଯିବ ସେ ନେଇ ଖୁବ୍ଶୀଘ୍ର ସୂଚନା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏଥିସହିତ ସମସ୍ତ ବ୍ରିଟେନ୍ ଫେରନ୍ତା ଯାତ୍ରୀ ସେମାନଙ୍କର ୧୪ ଦିନର ଯାତ୍ରା ସମ୍ପର୍କରେ ସୂଚନା ଦେବେ। ୧୪ ଦିନ ପୂର୍ବେ ସେ କେଉଁଠିକି ଯାଇଥିଲେ, କେଉଁଠି ରହିଥିଲେ ଓ ଆସିଥିଲେ ସେ ସବୁର ସୂଚନା ଦେବେ। ଏନେଇ ସେଲ୍ଫ ଡିକ୍ଲାରେସନ୍ ଫର୍ମର ପୂରଣ କରିବେ।
ଏସ୍ଓପି ସମୟ ଜାନୁଆରୀ ୮ରୁ ଜାନୁଆରୀ ୩୦ ମଧ୍ୟରେ ବ୍ରିଟେନ୍ରୁ ଫେରୁଥିବା ସମସ୍ତ ଯାତ୍ରୀ ସେଲ୍ଫ ଡିକ୍ଲାରେସନ୍ ଫର୍ମକୁ ଦିଲ୍ଲୀ ବିମାନବନ୍ଦର ପୋର୍ଟାଲ୍ରେ ଅନ୍ଲାଇନ୍ ସବ୍ମିଟ କରିବେ। ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ଏହି ଘୋଷଣାନାମାକୁ ଅନ୍ଲାଇନ୍ରେ ସବ୍ମିଟ କରିବାକୁ ପଡ଼ିବ। ତା ସହିତ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ସବ୍ମିଟ କରିବାକୁ ହେବ। ସେହିପରି ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କର ନେଗେଟିଭ୍ ରିପୋର୍ଟ ଅଛି କି ନାହିଁ ସେ ନେଇ ସୁନିଶ୍ଚିତ କରିବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି।