କରୋନା ଲଢେଇରେ ବିଜୟୀ, ଦିନକରେ ସୁସ୍ଥ ହେଲେ ୭୦୫

ନୂଆଦିଲ୍ଲୀ: ୧୮ ହଜାର ୯ଶହ ପାର୍ କରିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଦେଶର ୬୧ଟି ଜିଲ୍ଲାରେ ଗଲା ୧୪ ଦିନରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ସେପଟେ କରୋନା ରୋଗୀଙ୍କ ପାଇଁ ସରକାର ୨୪ ଘଣ୍ଟିଆ ରକ୍ତଭଣ୍ଡାର ବ୍ୟବସ୍ଥା କରିଛନ୍ତି। ସେହିପରି ରୋଗ ଚିହ୍ନଟ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଉଛି।

ତେବେ ରାପିଡ୍ ଟେଷ୍ଟ କିଟ୍ ଦ୍ୱାରା ଭୁଲ ରିପୋର୍ଟ ଆସୁଥିବା ନେଇ କିଛି ରାଜ୍ୟରୁ ଅଭିଯୋଗ ଆସିବା ପରେ ଆଗାମୀ ଦୁଇ ଦିନ ପାଇଁ ଏହି କିଟ୍ ବ୍ୟବହାର ନକରିବାକୁ ICMR ନିର୍ଦ୍ଦେଶ ଦେଇଛି। ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ରାପିଡ୍ ଟେଷ୍ଟ କିଟ୍‌କୁ ନେଇ ନୂଆ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି।

You might also like