ଦୀର୍ଘ ୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହି ଘରକୁ ଫେରିଲେ ୭୦ ବର୍ଷୀୟ ବୃଦ୍ଧ

କାନପୁର: ଜଣେ ୭୦ ବର୍ଷିୟ ବୃଦ୍ଧ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିବା ପରେ ଏବେ ପରିବାର ପାଖକୁ ଫେରିଛନ୍ତି। ପରିବାରକୁ ପାଖରେ ପାଇ ସେ ଖୁସିରେ କାନ୍ଦି ପକାଇଛନ୍ତି।

ସାମ୍‌ସୁଦ୍ଦିନ ନାମକ ଏହି ବ୍ୟକ୍ତି ଘରକୁ ଫେରି ଅତ୍ୟନ୍ତ ଖୁସି ହୋଇଥିବାବେଳେ ଆତ୍ମୀୟଙ୍କୁ ଧରି କାନ୍ଦିଥିବା ଏବଂ ପାକିସ୍ତାନକୁ ଯାଇ ବହୁତ ବଡ଼ ଭୁଲ୍‌ କରିଥିବା କହିଛନ୍ତି।

ସାମ୍‌ସୁଦ୍ଦିନ ପାକିସ୍ତାନ ଜେଲ୍‌ରୁ ଖଲାସ ହୋଇ ଗତ ରବିବାର ସକାଳୁ ତାଙ୍କ ଘର କାଙ୍ଘି ମହଲ ନଗରରେ ପହଞ୍ଚିଥିଲେ। ସେଠାରେ ତାଙ୍କ ପରିବାର ଏବଂ ବନ୍ଧୁବାନ୍ଧବ ତାଙ୍କୁ ସ୍ୱାଗତ କରିଥିଲେ।

ସାମସୁଦ୍ଦିନ ପ୍ରଥମେ ୧୯୯୨ରେ ୯୦ ଦିନର ଭିସା ନେଇ ପାକିସ୍ତାନ ଯାଇଥିଲେ। ୧୯୯୪ରେ ନାଗରିକତ୍ୱ ପାଇବା ପରେ ସେଠାରେ ସେ ରହିଥିଲେ।

୨୦୧୨ ମସିହାରେ ପାକିସ୍ତାନ ସରକାର ତାଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଦର୍ଶାଇ କରାଚି ଜେଲ୍‌ରେ ବନ୍ଦୀ କରିଦେଇଥିଲେ। ଜେଲ୍‌ରୁ ମୁକୁଳି ଗତ ଅକ୍ଟୋବର ମାସ ୨୬ ତାରିଖରେ ସେ ଅଟ୍ଟରି- ୱାଘା ବର୍ଡରରେ ପହଞ୍ଚିଥିଲେ। କରୋନା କାରଣରୁ ସେ ଅମ୍ରିତସରରେ କ୍ୱାରେଣ୍ଟିନ୍‌ରେ ରହିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ପୋଲିସ୍‌ ଷ୍ଟେସନ୍‌ର ସହାୟତାରେ ତାଙ୍କ ଘର ଲୋକଙ୍କ ପାଖରେ ପହଞ୍ଚାଯାଇଥିଲା।

ସେ ଘରେ ପହଞ୍ଚିବାପରେ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତୀୟଙ୍କୁ ପାକିସ୍ତାନରେ ବହୁତ ଖରାପ ବ୍ୟବହାରର ଶୀକାର ହେବାକୁ ପଡ଼ୁଛି। ସେମାନେ ଆମକୁ ଶତ୍ରୁଭଳି ଦେଖୁଛନ୍ତି। ପାକିସ୍ତାନରେ ଲାଞ୍ଚ କାରବାର ସହ ଦୁର୍ନୀତି ହେଉଥିବା ସେ କହିଛନ୍ତି।

You might also like