ଥରିଲା ଇଣ୍ଡୋନେସିଆ; ୭ ସେକେଣ୍ଡ୍‌ରେ ୭ ମୃତ, ଶତାଧିକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆର ସୁଲାୱେସି ଆଇଲ୍ୟାଣ୍ଡ୍‌ରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।  ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୨ ରେକର୍ଡ କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଭୂକମ୍ପରେ ଅନେକ ବିଲ୍ଡିଂ ଭୁଶୁଡ଼ି ମାଟିରେ ମିଶି ଯାଇଛି। ଭୂକମ୍ପର ଉତ୍ପତ୍ତି ସ୍ଥଳ ମାଜେନେ ସହର ଠାରୁ ୬ କି.ମି. ଦୂରରେ ଥିଲା।

ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଶୁକ୍ରବାର ଭୋର ସମୟରେ ୭ ସେକେଣ୍ଡ୍‌ ପାଇଁ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିବା ବେଳେ ଆଉ କିଛି ଲୋକ ନିଜର ସୁରକ୍ଷା ପାଇଁ ଘର ଛାଡ଼ି ଅନ୍ୟତ୍ର ପଳାଯାଇଥିବା ସୂଚନା ମିଳିଛି। ଯଦିଓ ଏହା ଏକ ଶକ୍ତିଶାଳୀ ଭୂମିକମ୍ପ ଥିଲା ତେବେ ଏନେଇ କୌଣସି ସୁନାମୀ ୱାର୍ଣିଂ ଜାରି କରାଯାଇ ନାହିଁ।

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି, ଭୂକମ୍ପରେ ମାଜେନେ ସହରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି। ସେହିପରି ପଡ଼ୋଶୀ ମାମୁଜୁରେ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାପୂର୍ବରୁ ଗୁରୁବାର ମଧ୍ୟ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ମଧ୍ୟ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା।

ସୂଚନାଥାଉ କି, ୨୦୧୮ରେ ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା। ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

You might also like