ଲଜ୍ଜା ! କରୋନା ମୃତକଙ୍କ କଫିନ ଓ ପୋଷାକ ଚୋରାଇ ଚାଲିଛି ବେପାର, ୭ ଗିରଫ

ବାଗପତ:  କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଦେଶବାସୀଙ୍କ ଦୃହୟକୁ ଥରାଇ ଦେଇଛି । ଗୋଟିଏ ପରେ ଗୋଟିଏ ପରିଜନକୁ ହରାଇ ଯେମିତି ସାରା ଦେଶ କାନ୍ଦୁଛି । ଜୁଇରୁ ନିଆଁ ଲିଭୁନି କି ଆଖିରୁ ଲୁହ ଶୁଖୁନି । ଏପରି ଅବସ୍ଥାରେ ହୃଦୟ ବିଦାରକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ମାତ୍ର କିଛି ଟଙ୍କା ପାଇଁ ୟୁପିର ବାଗପତ ଅଞ୍ଚଳରେ କିଛି ଲୋକ କରୋନାରେ ମୃତ ବ୍ୟକ୍ତିଙ୍କ କଫିନ ଖୋଲି ତାଙ୍କ ପୋଷକ ଚୋରାଇ ସେଥିରେ ବ୍ରାଣ୍ଡେଣ୍ଡ କମ୍ପାନୀର ଟ୍ୟାଗ ଲଗାଇ ବଜାରରେ ବିକ୍ରି କରୁଛନ୍ତି ।

ଏହାଦ୍ୱାରା କିଛି ଅର୍ଥ ବଦଳରେ ଏହି ଲୋକମାନେ ସାରା ଦେଶରେ କରୋନାର ଏକ ଲମ୍ବା ଚେନ୍‌ ତିଆରି କରୁଛନ୍ତି । ପୋଲିସ ଏପରି ନିର୍ମମ କାମ କରୁଥିବା କିଛି ବ୍ୟକ୍ତିଙ୍କୁ ଗିରଫ କରି ଘଟଣାର ପର୍ଦ୍ଦାଫାଶ କରିଛି । ଏହି ବ୍ୟକ୍ତିମାନେ କବରସ୍ଥାନ ଏବଂ ଶଶ୍ମାନଘାଟ ଯାଇ କରୋନା ସଂକ୍ରମିତ ଶବର କଫିନ, ପୋଷାକ ଚୋରି କରୁଛନ୍ତି । ଏପରିକି ଶବକୁ ଘୋଡେଇ ଆଣାଯାଉଥିବା ଚାଦର ସହିତ ପୋଷାକ, ନାମୀ କମ୍ପାନୀର ଷ୍ଟିକର ପୋଲିସ ଏମାନଙ୍କଠାରୁ ଜବତ କରିଛି।

କରୋନାର ଏଇ ଦ୍ଵିତୀୟ ଲହରରେ ଲୋକେ ଅକାଳ ମୃତ୍ୟୁ ମୁହଁକୁ ଠେଲି ହୋଇ ଯାଉଛନ୍ତି । ହେଲେ ଏହି ଅବିବେକୀ, ସ୍ୱାର୍ଥାନ୍ଧ ମଣିଷମାନେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କଫିନକୁ ନେଇ ବ୍ୟବସାୟ କରୁଛନ୍ତି । ଏହି ଅଭିଯୋଗରେ ପୋଲିସ ବାଗପତ୍‌ ଅଞ୍ଚଳର ବଡୌତ ଥାନା ପୋଲିସ ୭ ଜଣକୁ ଗିରଫ କରିଛି । ଏମାନେ କବରସ୍ଥାନ ଏବଂ ଶ୍ମଶାନଘାଟରୁ କରୋନା ମୃତକଙ୍କ କଫିନ, ପୋଷାକ ଆଣି ନାମିଦାମି କମ୍ପାନୀର ବ୍ରାଣ୍ଡ ଲଗାଇ ବଜାରରେ ଚଢା ଦରରେ ବିକ୍ରି କରୁଥିଲେ ।

ବାସ୍ତବରେ, ଏହି ଗ୍ୟାଙ୍ଗର ଲୋକମାନଙ୍କର କାମ ଥିଲା ଚୋରି ହୋଇଥିବା କଫିନ ଏବଂ ପୋଷାକ ବ୍ୟବସାୟୀମାନଙ୍କୁ ଦେବା । ଏହା ପରେ ବ୍ୟବସାୟୀମାନେ ଏସବୁ ଜିନିଷ ଉପରେ ବଡ କମ୍ପାନୀର ଷ୍ଟିକର ଲଗାଉଥିଲେ | ପୋଲିସ ଏଭଳି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଶବ ଉପରେ ଘୋଡା ଯାଇଥିବା ୫୨୦ ମୃତ ବେଡ଼ସିଟ୍, ୧୨୭ କୁର୍ତ୍ତା, ୧୪୦ ଧଳା ସାର୍ଟ ଏବଂ ମହିଳା ପୋଷାକ ଜବତ କରିଛି। ଏଥି ସହିତ ଅନେକ କଫିନ ମଧ୍ୟ ଜବତ କରିଛି ପୋଲିସ । ସେତିକି ନୁହେଁ , ପୋଲିସ ଗିରଫ ଅଭିଯୁକ୍ତଙ୍କ ପାଖରୁ ଅନେକ ବ୍ରାଣ୍ଡେଡ୍ କମ୍ପାନୀର ପ୍ୟାକିଂ ରିବନ୍ ଏବଂ ଷ୍ଟିକର ମଧ୍ୟ ଜବତ କରିଛି।

You might also like