ଗୋଟିଏ ପରିବାରରେ ୬୬ ଭୋଟର, ନିର୍ବାଚନ ବେଳେ ଜମେ ନେତାଙ୍କ ଭିଡ଼

ଆହ୍ଲାବାଦ: ଉତ୍ତର ପ୍ରଦେଶ ଆହ୍ଲାବାଦର ଏଇ ପରିବାର ଉପରେ ନେତାଠୁ ଜନତା ସମସ୍ତଙ୍କର ନଜର। ଜନତାଙ୍କ ନଜର ଏଇ ପରିବାରର ଏକତା ଉପରେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ପରିବାରର ୮୮ ସଦସ୍ୟ କେମିତି ଏକାଠି ରହି ପାରିଛନ୍ତି। ନେତାଙ୍କ  ନଜର ଏଥିପାଇଁ ଯେ, ଏମାନଙ୍କୁ ମନେଇ ପାରିଲେ ମିଳିବ ୬୬ ଭୋଟ।  ସେଥିପାଇଁ ତ ନିର୍ବାଚନ ଆସିଲେ ଏଠି ନେତାଙ୍କ ଲାଇନ୍ ଲାଗେ।

୧୫ କିଲୋ ଚାଉଳ, ୨୦ କିଲୋ ପରିବା

ଉତ୍ତର ପ୍ରଦେଶ ଆହ୍ଲାବାଦ ସହଠାରୁ ଦୂରରେ ରହିଛି ଗାଁଟିଏ। ନାଁ ତା’ର ବହରିଛା। ଏହି ଗାଁର ବିଶେଷତ୍ୱ ହେଲା ଏଠି ରହିଛି ଏକ ବିଶାଳ ଯୌଥ ପରିବାର। ୮୮ ସଦସ୍ୟ ବିଶିଷ୍ଟ ଏହି ପରିବାରର ମୁରବୀ ହେଉଛନ୍ତି ୯୮ ବର୍ଷୀୟ ରାମ ନରେଶ ଭୁର୍ତିଆ। ମୁଖ୍ୟତଃ ଚାଷ କାମ ଉପରେ ଭୁର୍ତିଆ ପରିବାର ନିର୍ଭର କରିଥାଏ। କିଛି ସଦସ୍ୟ ବାହାରେ ଚାକିରି ମଧ୍ୟ କରନ୍ତି।

ଆପଣ ଭାବୁଥିବେ, ଏତେ ବଡ଼ ପରିବାର ଚାଲୁଥିବ କେମିତି। ସତରେ ଏହା ଏକ ଆଶ୍ଚର୍ଯ୍ୟର କଥା । ଏତେବଡ଼ ଯୌଥ ପରିବାରରେ ସବୁ ସଦସ୍ୟଙ୍କୁ ଖାଇବାକୁ ଦେବା ଓ ସମସ୍ତଙ୍କ ଖବର ବୁଝିବା ସହଜ ନୁହେଁ। ସମସ୍ତେ ଗୋଟିଏ ଜାଗାରେ ଖାଆନ୍ତି। ମୁଖିଆ ରାମ ନରେଶଙ୍କ ସୂଚନା ଅନୁଯାୟୀ, ଗୋଟିଏ ଥର ରୋଷେଇ ପାଇଁ ଦରକାର ପଡ଼ିଥାଏ ୨୦ କିଲୋ ପନିପରିବା, ୧୫ କିଲୋ ଚାଉଳ ଓ ୧୦ କେଜି ଗହମ।  ଘରର ମହିଳାମାନେ ସମସ୍ତେ ମିଳିମିଶି ରୋଷେଇ କଥା ବୁଝନ୍ତି। ଚାଷବାସରୁ ଯାହା କିଛି ଟଙ୍କା ରୋଜଗାର ହୁଏ ସେଥିରେ ଘର ଚଳେ।  ତା ସହିତ ପରିବାର ରୋଜଗାରିଆ ସଦସ୍ୟମାନେ ବି କିଛି କିଛି ଟଙ୍କା ଦେଇଥାନ୍ତି।

ନିର୍ବାଚନ ବେଳେ ଲାଗେ ନେତାଙ୍କ ଲାଇନ୍

ନିର୍ବାଚନ ଆସିଲେ ଭୁର୍ତିଆ ଘରେ ନେତାଙ୍କ ଲାଇନ୍ ଲାଗେ। କାରଣ, କେବଳ ଏହି ଗୋଟିଏ ପରିବାରରେ ହିଁ ରହିଛନ୍ତି ୬୬ ଜଣ ଭୋଟର। ଯେହେତୁ ଏହା ଯୌଥ ପରିବାର, ମୁରବୀଙ୍କ କଥାରେ ସମସ୍ତେ ପରିଚାଳିତ। ତେଣୁ ରାମ ନରେଶ ଯାହାକୁ କହନ୍ତି, ଘରର ସବୁ ସଦସ୍ୟ ସେହି ପ୍ରାର୍ଥୀଙ୍କୁ ହିଁ ଭୋଟ ଦେଇଥାନ୍ତି। ତେଣୁ ବିଭିନ୍ନ ଦଳର ନେତା ଆସି ଏହି ପରିବାରରେ ପହଞ୍ଚି ମୁରବିଙ୍କୁ ମନେଇବାକୁ ଚେଷ୍ଟା କରନ୍ତି।

ଭୁର୍ତିଆ ପରିବାରରେ ଏଥର ଅନେକ ନୂଆ ଭୋଟର ସାମିଲ ହୋଇଛନ୍ତି। ଚଳିତଥର ଘରର ଅନେକ ସଦସ୍ୟ ପ୍ରଥମେ ଭୋଟ ଦେଇଛନ୍ତି। ଅଧିକାଂଶ ସମୟରେ ଦୁଇଚକିଆ ଗାଡ଼ିରେ ସମସ୍ତଙ୍କୁ ବୁଥ୍‌ ଯାଏଁ ବୁହା ହୁଏ।

ଏତେବଡ଼ ପରିବାର ହେଲେ ବି, ସେମାନେ ଖୁବ୍ ଗରିବ। ଏବେବି ସେମାନେ ଖପର ଘରେ ରହୁଛନ୍ତି। ରାମ ନରେଶଙ୍କ କହିବା କଥା ହେଲା, ସବୁଥର ନିର୍ବାଚନ ବେଳେ ନେତାଏ ଆସି ଗୁଡ଼ାଏ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ କେହି କିଛି ଦିଅନ୍ତି ନାହିଁ। ନିର୍ବାଚନ ସରିଲେ ନେତାଙ୍କର ଆଉ ଦେଖା ମିଳେନି।

ଘର ଉପର ଦେଇ ହାଇଭୋଲଟେଜ୍‌ ବିଦ୍ୟୁତ ତାର ଯାଇଥିବାରୁ, ତାଙ୍କ ପରିବାର ଆଜି ବି ଟାଇଲ ଛପର ଘରେ ରହୁଛନ୍ତି । ଏ ନେଇ ବାରମ୍ୱାର ସ୍ଥାନୀୟ ବିଦ୍ୟୁତ ଅଫିସ ଏବଂ ନେତା ମାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ହେଲେ  କିଛି ଲାଭ ମିଳିନି।

ରାମ ନରେଶଙ୍କ କହିବା କଥା ହେଲା, ପରିବାରରେ ଧୀରେ ଧୀରେ ମହିଳା ଓ ଝିଅଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ପାଇଁ ଅଲଗା ଘର ତିଆରି କରିବା ଜରୁରି ହୋଇପଡ଼ିଛି। ଏ ସବୁ ସମସ୍ୟା ବାବଦରେ ସେ କିଛି ନେତାଙ୍କୁ କହିଛନ୍ତି। ଯଦି ଏଥର ତାହା ସମାଧାନ ନହୁଏ, ତେବେ ଠିକଣା ସମୟରେ ତାଙ୍କ ପରିବାର ଉଚିତ ଜବାବ ଦେବ ବୋଲି ଘରର କିଛି ସଦସ୍ୟ କହିଛନ୍ତି।

You might also like