ଛୋଟ ପିଲାଙ୍କ ପାଇଁ ଏତେ କାମ କାହିଁକି ରଖିଛ ମୋଦି ସାବ୍…..

ନୂଆଦିଲ୍ଲୀ: ଲକଡାଉନ ବେଳେ ସ୍କୁଲ ବନ୍ଦ । ପିଲାମାନେ ଘରେ ପାଠ ପଢ଼ୁଛନ୍ତି । ଅନ୍‌ଲାଇନ ପାଠପଢ଼ା ଉପରେ ବହୁ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି।  ହେଲେ ସେମାନଙ୍କ ମାନସିକ ଅବସ୍ଥା ବୁଝୁଛି କିଏ? ଖେଳିବା ବୁଲିବା ବୟସରେ ଘରେ ବସି ଅତ୍ୟଧିକ ପାଠପଢ଼ା ଚାପ ସହିବା ବ୍ୟତବ୍ୟସ୍ତ କରିଦେଇଛି ପିଲାମାନଙ୍କୁ।  ଏଇ ପାଠପଢାର ଚାପ ଭିତରେ ଯେମିତି ଅଣନିଃଶ୍ୱାସୀ ହୋଇ ପଡ଼ୁଛି  ଜାମ୍ମୁ-କାଶ୍ମୀରର ଏଇ କୁନି ଝିଅଟି। ଏନେଇ କୁନି ଝିଅଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁହାରି କରିଛି। ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କୁନି ଝିଅଟି ଗୁଲୁଗୁଲୁ ସ୍ୱରରେ ଯେମିତି ଏକ ବହୁତ ବଡ ସମସ୍ୟାକୁ ସାମ୍ନାକୁ ଆଣିଛି।

ଭିଡିଓରେ ଝିଅଟି ତାର ଦରୋଟି ଭାଷାରେ କହୁଛି, ‘ ମୁଁ ଗୋଟିଏ ଝିଅ କହୁଛି। ମୋ ବୟସ ୬ ବର୍ଷ।  ଛୋଟ ପିଲାଙ୍କ ପାଇଁ ଏତେ ଅଧିକ କାମ କାହିଁକି ରଖିଛ ମୋଦି ସାବ୍?’  କରୋନା କାଳରେ ଘଣ୍ଟା ଘଣ୍ଟା ଧରି ଅନଲାଇନ କ୍ଲାସ୍ ଯୋଗୁଁ ବିରକ୍ତ ହୋଇଯାଇଥିବା କୁନି ଝିଅର ଇଏ କୁନି ଆପତ୍ତି । ତା’ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ।

ଜାମ୍ମୁ ଓ କାଶ୍ମୀରର ଏହି ୬ ବର୍ଷୀୟା ଛାତ୍ରୀର ଅଭିଯୋଗ ହେଉଛି, ଦିନ ୧୦ଟାରୁ ୨ଟା ଯାଏଁ ଅନଲାଇନ ପାଠପଢ଼ା ହେଉଛି। ଇଂରାଜୀ, ଗଣିତ, ଉର୍ଦ୍ଦୁ, ଇଭିଏସ୍ ଘଣ୍ଟା ଘଣ୍ଟା ଧରି ପଢ଼ିବାକୁ ପଡ଼ୁଛି। ତା ସାଙ୍ଗରେ କମ୍ପ୍ୟୁଟର୍ ବି ଅଛି। ଏତେସବୁ ପାଠ ସପ୍ତମ-ଦଶମ ପିଲାଙ୍କ ପଢ଼ିବା କଥା। ହେଲେ ୬ ବର୍ଷର ପିଲାଙ୍କୁ ଏତେ ଅଧିକ କାମ ଦିଆଯାଉଛି କାହିଁକି ବୋଲି ଝିଅଟି ପ୍ରଶ୍ନ କରିଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି । ଝିଅର ପ୍ରକୃତ ପରିଚୟ ଜଣାପଡ଼ିନଥିଲେ ବି ସେ ଜାମ୍ମୁ ଓ କାଶ୍ମୀରର ବୋଲି କୁହାଯାଉଛି । ଝିଅର ଗୁହାରି ସଂପର୍କରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି ସୋସିଆଲ ମିଡିଆ ୟୁଜର୍ସଙ୍କ ଭିତରେ। ତେବେ ଏହି ଭିଡିଓଟି ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନଜରକୁ ଆସିବା ପରେ ପଦକ୍ଷେପ ନେଇଛନ୍ତି। ସ୍କୁଲ ପିଲାଙ୍କ ଉପରୁ ହୋମ୍ ଓ୍ୱାର୍କ ବୋଝ କମାଇବାକୁ ୪୮ ଘଣ୍ଟା ଭିତରେ ନୂଆ ନୀତି ଆଣିବା ପାଇଁ ଶିକ୍ଷା ବିଭାଗକୁ ସେ ନିର୍ଦ୍ଦେଶ ଦେଇଥିବା ଟୁଇଟ୍ କରିଛନ୍ତି । ଶୈଶବର ନୀରିହତା ଈଶ୍ୱରଙ୍କ ଉପହାର ଏବଂ ସେମାନଙ୍କ ଦିନ ଗୁଡ଼ିକ ଜୀବନ୍ତ, ଖୁସି ଓ ଆନନ୍ଦରେ ଭରପୁର ରହିବା ଉଚିତ ବୋଲି ସେ ଲେଖିଛନ୍ତି।

କେବଳ ଜାମ୍ମୁ ଓ କାଶ୍ମୀର ନୁହେଁ, କରୋନା ସଂକ୍ରମଣର ପ୍ରଥମ ଲହର ବେଳଠୁ ବିଭିନ୍ନ କଟକଣା ଭିତର ଦେଇ ଗତି କରୁଛି ଦେଶର ଅଧିକାଂଶ ରାଜ୍ୟ। ସ୍କୁଲ ବନ୍ଦ ରହିଛି । ପିଲାମାନେ ସାଙ୍ଗ ସାଥିଙ୍କୁ ଭେଟି ପାରୁନାହାନ୍ତି। ଘରୁ ବାହାରି ପାରୁନାହାନ୍ତି। ଖେଳିବୁଲି ପାରୁନାହାନ୍ତି । ଘରର ଚାରି କାନ୍ଥ ଭିତରେ ଏକପ୍ରକାର ଆବଦ୍ଧ ହୋଇଯାଇଛି ଶୈଶବ । ଏଭଳି ସ୍ଥିତିରେ ସଂକ୍ରମଣର ଡର, ମହାମାରୀର ଆତଙ୍କ, ନିଃସଙ୍ଗତା ଏବଂ ତାଉପରେ ପାଠର ଅତ୍ୟଧିକ ବୋଝ । ଖେଳିବା ବୁଲିବା ବୟସରେ ଘର ଭିତରେ ଏତେ ଚାପଗ୍ରସ୍ତ ରହିଲେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦର ଆଶଙ୍କା ଥିବା ବିଶେଷଜ୍ଞ କୁହନ୍ତି।

You might also like