କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ମୃତ୍ୟୁ ହାରକୁ ନେଇ ଚିନ୍ତା ବଢ଼ାଇଛି ୬ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ତଳମୁହାଁ ହେଉଛି। କିଛିଦିନ ହେବ ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ୍ ସୂଚନା ଦେଇଛନ୍ତି। ମେ ୧୦ରେ ପଜିଟିଭିଟି ହାର ୨୪% ଥିଲା, ଆଜି ଖସି ତାହା ୧୨.୪୫% ରହିଛି। ଗତ ୧୨ ଦିନ ହେଲାଣି ପଜିଟିଭିଟି ହାର ୨୦ % ତଳେ ରହିଛି। ଓଡ଼ିଶାର ୨୮ଟି ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି।

ଏବେ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ରାଜ୍ୟରେ ୭୮ ପ୍ରତିଶତ ଅଛନ୍ତି। ତେବେ ୬ଟି ରାଜ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀରେ ମୃତ୍ୟୁହାର ଚିନ୍ତା ବଢ଼ାଇଛି ବୋଲି ଲଭ୍ ଅଗ୍ରଓ୍ବାଲ୍ କହିଛନ୍ତି। ତେବେ ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ସେ କହିଛନ୍ତି। ଦେଶର ୯୩ଟି ଜିଲ୍ଲାରେ ନୂଆ କରୋନା ସଂକ୍ରମିତ କମ ଚିହ୍ନଟ ହେବାସହ ପଜିଟିଭିଟି ରେଟ ମଧ୍ୟ ଲଗାତାର ଭାବେ କମିବାରେ ଲାଗିଛି।

କରୋନା ସହିତ ଦେଶରେ ଏବେ ବ୍ଲାକ ଫଙ୍ଗସ ଚିନ୍ତାର କାରଣ ବଢ଼ାଇଛି। ବ୍ଲାକ ଫଙ୍ଗସକୁ ନେଇ ଲଭ୍ ଅଗ୍ରଓ୍ବାଲ୍ କହିଛନ୍ତି,  ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ  Amphotericin-ବି ଏବେ ଦେଶରେ ସୀମିତ ରହିଛି। ଏହି ଔଷଧ କିଭଳି ଭାବରେ ଅଧିକରୁ ଅଧିକ ତିଆରି କରିହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଅତିରିକ୍ତ ଔଷଧ ତିଆରି କରୁଥିବା କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଏବେ ଯେଉଁ କମ୍ପାନୀ ଗୁଡ଼ିକ ଅଛି, ସେମାନେ ମଧ୍ୟ ଉତ୍ପାଦନ ବଢ଼ାଇଛନ୍ତି।


ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ  ୨ଲକ୍ଷ ୫୭ ହଜାର ୨୯୯  କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।

You might also like