ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ୬ ମୃତ

ଦିସପୁର: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର। ରାଜ୍ୟର ୩୩ ଜିଲ୍ଲାରୁ ୨୧ ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ। ବ୍ରହ୍ମପୁତ୍ର ଏବଂ ଏହାର ୫ଟି ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ରାଜ୍ୟରେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ବରପେଟା, ଦେହମାଜି, ଜୋରହାଟ, ବୋନାଇଗା, ଲକ୍ଷ୍ମୀପୁର ଓ ଗୋଲାଘାଟ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ,୧ ହଜାର ୫୫୬ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ପ୍ରାୟ ୮ ଲକ୍ଷ ୭୦ ହଜାର ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। କେବଳ ବାରପେଟାରେ ୩ ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୮୫ ହଜାର ଲୋକଙ୍କୁ ସୁକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ୬୮ଟି ବିଭିନ୍ନ  ରିଲିଫ କେନ୍ଦ୍ରରେ ରଖାଯାଇଛି। ପ୍ରାୟ ୨୭ ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡ଼ିଯାଇ ନଷ୍ଟ ହୋଇଯାଇଛି। ସେହିପରି ବ୍ରହ୍ମପୁତ୍ର ବନ୍ୟା କାଜିରଙ୍ଗା ଜାତୀୟ ଉଦ୍ୟାନରେ ତାଣ୍ଡବ ଖେଳାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

You might also like