ଦିଲ୍ଲୀରେ କରୋନା ଭାଇରସ ସନ୍ଦେହରେ ୬ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ଆଜି ଦିଲ୍ଲୀର ୬ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସମସ୍ତଙ୍କୁ ଆରଏମଏଲ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେମାନଙ୍କ ଉପରେ ଡାକ୍ତରୀ ଟିମ ନଜର ରଖିଛି।

ଏହି ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ପରୀକ୍ଷା ନୀରିକ୍ଷା କରାଯାଇଥିଲେ ହେଁ ଏଯାଏ ରିପୋର୍ଟ ହସ୍ତଗତ ହୋଇନାହିଁ। ଗତକାଲି ଭାରତରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେରଳର ଛାତ୍ର କରୋନା ଭାଇରସରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।

ଆରଏମଏଲ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ନିଜ ଆଡ଼ୁ ଆସି ସେମାନେ ଦୀର୍ଘ ଦିନ ହେଲା ଥଣ୍ଡା ଓ ଖାସ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାଇଥିଲେ। ଏପରି କି ସେମାନେ କରୋନା ଭାଇରସରେ ଆକ୍ରାନ୍ତ ଥିବା ମଧ୍ୟ ଆଡ଼ୁ ଜଣାଇଥିଲେ।

ଏହି ୫ ଜଣଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ମହିଳା ରହିଛନ୍ତି। ସେ ୨୦୧୫ରୁ ଚାଇନାରେ ରହୁଥିଲେ। ଗତ ଜାନୁଆରୀ ୨୯ରେ ସେ ଭାରତକୁ ଆସିଛନ୍ତି। ଏହି ମହିଳାଙ୍କ ବ୍ୟତୀତ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୨୩ ଓ ୩୫ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୨୮ରେ ଭାରତକୁ ଫେରିଥିଲେ। ସେହିପରି ୨୦୧୯ ନଭେମ୍ବର ମାସରୁ ଚାଇନାରେ ରହୁଥିବା ୧୯ ବର୍ଷୀୟ ଯୁବକ ୨୦୨୦ ଜାନୁଆରୀ ୨୪ରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଦୀର୍ଘ ୧୦ ବର୍ଷ ହେଲା ଚାଇନାରେ ରହୁଥିବା ୩୪ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୧୬ରେ ଭାରତ ଆସିଥିଲେ। ଏମାନେ ସମସ୍ତେ ନିଜ ଆଡୁ ୩୦ ତାରିଖ ରାତିରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ଆଶଙ୍କା କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ଜଣେ ୩୨ ବର୍ଷୀୟ ମହିଳା ଅସୁସ୍ଥତା ଅନୁଭବ କରୁଥିବାରୁ ତାଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।

You might also like