ଏଣିକି ଅକ୍ସିଜେନ ପରିବହନକାରୀ ଜାହାଜଠୁ ଆଦାୟ ହେବନି ଦେୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିର୍ଦ୍ଦେଶ। ଏଣିକି ଅକ୍ସିଜେନ ପରିବହନକାରୀ ଜାହାଜଠୁ ବି ଆଦାୟ ହେବନି ଦେୟ। ସବୁ ବୃହତ୍ ବନ୍ଦରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଅକ୍ସିଜେନ ସରଞ୍ଜାମ ପରିବହନକାରୀ ଜାହାଜଠୁ ମଧ୍ୟ ଦେୟ ଆଦାୟ କରିବାକୁ ମନା କରାଯାଇଛି।

ଅନ୍ୟପଟେ ଦେଶରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ୫୫୧ଟି ନୂଆ ଅକ୍ସିଜେନ୍ ପ୍ଲାଣ୍ଟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ୫୫୧ଟି PSA ମେଡିକାଲ୍ ଅକ୍ସିଜେନ୍ ଉତ୍ପାଦନ ପାଇଁ ପ୍ଲାଣ୍ଟ ନିର୍ମାଣ ହେବ। ଦେଶର ବିଭିନ୍ନ ହସ୍ପିଟାଲ୍ ପରିସରରେ ଏହାକୁ ନିର୍ମାଣ କରାଯିବ। ଏହାର ସମସ୍ତ ଖର୍ଚ୍ଚ ପିଏମ୍ କେୟାର ଫଣ୍ଡରୁ ହେବ।

କରୋନା ମୁକାବିଲାରେ ବଡ଼ ବାଧକ ଓ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଅକ୍ସିଜେନ୍। ତେଣୁ ଏହାର ଅଭାବକୁ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେଶୀଘ୍ର ଏହାର ନିର୍ମାଣ ସରିବ ଏହାକୁ ବ୍ୟବହାର ଉପଯୋଗୀ କରାଯିବ ବୋଲି କୁହାଯାଇଛି। ଏନେଇ ଦେଶର ବିଭିନ୍ନ ଜିଲ୍ଲାର ସଦରମହକୁମା ହସ୍ପିଟାଲକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହାକୁ ତଦାରଖ ଓ ଏହାର ଉତ୍ପାଦନ ଉପରେ ନଜର ରଖାଯିବ।

ସେପଟେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ଜାରି ରହିଛି। ରାଉରକେଲା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳରୁ ଏଯାଏଁ ୪୯ଟି କଣ୍ଟେନରରେ ୮୬୯ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇ ସାରିଲାଣି। ରବିବାର ଆହୁରି କିଛି ରାଜ୍ୟକୁ ଅକ୍ସିଜେନ୍ ଟ୍ୟାଙ୍କର ପଠାଯିବ ବୋଲି ଯୋଜନା ମୁତାବକ ପ୍ରସ୍ତୁତି ଚାଲିଛି।

ଅକ୍ସିଜେନ୍ ପରିବହନ ପାଇଁ ଓଡିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗ୍ରୀନ କରିଡର କରାଯିବା ସହ ୨୪ ଘଣ୍ଟିଆ ଦୃଷ୍ଟି ଦିଆଯାଉଛି। ଅକ୍ସିଜେନ୍ ଲୋଡିଂ ଏବଂ ପରିବହନରେ ଯେପରି ବିଳମ୍ବ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରୁ ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର, ଆନ୍ଧ୍ର ଏବଂ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶାରୁ ଅକ୍ସିଜେନ୍ ଯୋଗାଣ ଜାରି ରହିଛି। ଅନ୍ୟପଟେ ଏହି ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶା ସରକାର ପୂର୍ଣ୍ଣ ସହଯୋଗ କରୁଥିବା ଦେଖାଯାଇଛି।

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ ସ୍ଥିତି ବେହାଲ ହେଲାଣି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁ ରାଜ୍ୟକୁ ଆକ୍ସିଜେନ ଦେବା ପାଇଁ ଅନୁରୋଧ କରିଛନ୍ତି। ଏମିତିକି ଦିଲ୍ଲୀ ହାଇକୋର୍ଟ ମଧ୍ୟ ମେଡିକାଲରେ ଅକ୍ସିଜେନ ଅଭାବରୁ ଉପୁଜିଥିବା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

You might also like