କୋଲକାତାରେ ବିଜେପି କାର୍ଯ୍ୟାଳୟ ନିକଟରୁ ୫୧ ଦେଶୀ ବୋମା ଉଦ୍ଧାର

ନିଷ୍ଟ୍ରିୟ କରିବାକୁ ଚେଷ୍ଟା କରୁଛି ପୋଲିସ

କୋଲକାତା : କୋଲକାତାର ହୋଷ୍ଟିଙ୍ଗ କ୍ରସିଂ ଅଞ୍ଚଳରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ୫୧ ଟି ଦେଶୀ ବୋମା ଉଦ୍ଧାର କରାଯାଇଛି । ସମସ୍ତ  ବୋମାକୁ ଏକ ଅଖା ଭିତରେ ବନ୍ଦ କରି କାର୍ଯ୍ୟାଳୟ ନିକଟରେ ରଖାଯାଇଥିଲା । ସେପଟେ ବୋମାକୁ ନିଷ୍ଟ୍ରିୟ କରିବାକୁ ଚେଷ୍ଟା କରାଯାଉଛି। ତେବେ କିଏ ବୋମା ରଖିଛି ଏବଂ ଉଦ୍ଦେଶ୍ୟ କ’ଣ, ସେ ସମ୍ବନ୍ଧରେ କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ । କୋଲକାତା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ନିକଟସ୍ଥ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

ବିଜେପି କାର୍ଯ୍ୟାଳୟ ନିକଟରେ ମିଳିଥିବା ଦେଶୀ ବୋମା କେଉଁ ପ୍ରକାରର ତାହା ମଧ୍ୟ ଜଣାପଡ଼ି ନାହିଁ । ହୋଷ୍ଟିଙ୍ଗ କ୍ରସିଂ ଅଞ୍ଚଳରେ ସାମରିକ ପ୍ରତିଷ୍ଠାନ ରହିଛି । ପୋଲିସ ବର୍ତ୍ତମାନ ଏହି ବୋମାକୁ ନିଷ୍ଟ୍ରିୟ କରିବାକୁ ଚେଷ୍ଟା ଚଳାଇଛି । ମିଳିଥିବା ବୋମାଗୁଡିକ ଗ୍ରାମାଞ୍ଚଳରେ ଅଧିକ ବ୍ୟବହାରା କରାଯାଏ ବୋଲି କୁହାଯାଇଛି । ତେବେ ଏତେ ସଂଖ୍ୟକ ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ବର୍ତ୍ତମାନ ଅଖାରେ ଥିବା ସମସ୍ତ ବୋମା ସମାନ ପ୍ରକାରର କିମ୍ବା ବିଭିନ୍ନ ପ୍ରକାରର ବୋମା, ତାହା ବର୍ତ୍ତମାନ ଅନୁସନ୍ଧାନ କରାଯାଉଛି।

ସୂଚନାଯୋଗ୍ୟ ନିର୍ବାଚନ ପୂର୍ବରୁ ବିଜେପି ନିଜ କାର୍ଯ୍ୟାଳୟକୁ ହୋଷ୍ଟିଙ୍ଗ କ୍ରସିଂ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲା । ବିଜେପି କାର୍ଯ୍ୟାଳୟ ସେଣ୍ଟ୍ରାଲ ଏଭେନ୍ୟୁରେ ଥିଲେ ସୁଦ୍ଧା ନିର୍ବାଚନ ସମୟରେ ଏଠାରେ ସମସ୍ତ କାର୍ଯ୍ୟ କରାଯାଇଥିଲା । ନିର୍ବାଚନ ସମୟରେ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସଭା ଏହି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିଲା । ଏଭଳି ପରିସ୍ଥିତିରେ ବିଜେପି କାର୍ଯ୍ୟାଳୟଠାରୁ କିଛି ଦୂରରେ ବୋମା ମିଳିବା ପରେ ପୋଲିସ ପ୍ରଶାସନ ସତର୍କ ହୋଇପଡିଛି।

You might also like