ସମୁଦ୍ରରୁ ମିଳିଲା ୫୧ ଜଣଙ୍କ ମୃତଦେହ, ଏବେବି ୨୪ ଜଣ ନିଖୋଜ

ନୂଆଦିଲ୍ଲୀ: ସମୁଦ୍ରରେ ଜାରି ରହିଛି ସେନାର ମେଗା ସର୍ଚ୍ଚ ଅପରେସନ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡି ଯାଇଥିବା ଭାସମାନ ଆଶ୍ରୟସ୍ଥଳୀ ବା ବାର୍ଜରେ ଥିବା ONGC କର୍ମଚାରୀଙ୍କୁ ଠାବ କରିବା ଲାଗି ଅହରହ ଉଦ୍ୟମ ଚାଲିଛି । ବର୍ତ୍ତମାନ ସୁଦ୍ଧା ୫୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ୨୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଅପରେସନରେ ସାମିଲ ହୋଇଛନ୍ତି ନୌସେନାର ଏକାଧିକ ଯୁଦ୍ଧ ଜାହାଜ। INS Beas, ଆଇଏନ୍ଏସ୍ ବେଟଓ୍ୱା ଓ ଆଇଏନଏସ ଟେଗ୍ ଏବଂ ଅନ୍ୟ ବୋଟ୍ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡ଼ି ଯାଇଥିବା ଭାସମାନ ଆଶ୍ରୟସ୍ଥଳ ବାର୍ଜ P-305ରେ ଥିବା ONGC କର୍ମଚାରୀଙ୍କୁ ଠାବ କରିବା ଲାଗି ପ୍ରୟାସ ଜାରି ରହିଛି। ବାତ୍ୟା ଆସିବା ସମୟରେ ଏହି ବାର୍ଜରେ ୨୬୧ ଜଣ କର୍ମଚାରୀ ଥିଲେ। ତେବେ  ସାମୁଦ୍ରିକ ଝଡ଼ ପ୍ରଭାବରେ ଏହା ମୁମ୍ବାଇ ଠାରୁ ୩୫ ନୌଟିକାଲ ମାଇଲସ ଦୂରରେ  ବୁଡି  ଯାଇଥିଲା। ସୂଚନା ପାଇ ଏଥିରେ ଥିବା କର୍ମଚାରୀଙ୍କୁ ଉଦ୍ଧାର ଲାଗି ଅଶାନ୍ତ ସମୁଦ୍ରରେ ଅପରେସନ ଆରମ୍ଭ କରିଥିଲା ନୌସେନା। ଏହି ଦୁଃସାହସିକ ରେସ୍କ୍ଯୁ ଅପରେସନରେ ୧୮୬ ଜଣଙ୍କ ଜୀବନ ବଞ୍ଚାଇବାରେ ନୌସୈନିକ ସଫଳ ହୋଇଥିଲେ । ଭାରତୀୟ ନୌସେନାର ଦୁଇ ଯୁଦ୍ଧପୋତ ଆଇଏନ୍ଏସ୍ କୋଚି ଓ ଆଇଏନଏସ୍ କୋଲକାତା ସହାୟତାରେ ଉଦ୍ଧାର ହୋଇଥିବା କର୍ମଚାରୀ ଓ ମୃତଦେହକୁ ଉପକୂଳକୁ ଅଣାଯାଇଥିଲା।

ତେବେ ତାଉତେ ଯିବା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ।  ପ୍ରଳୟ ପରର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ମୁମ୍ବାଇ ସମୁଦ୍ର ବେଳାଭୂମିରେ। ଉଚ୍ଚ ଉଚ୍ଚ ଜୁଆର ଆସିଥିଲା ଆଉ ସେହି ଜୁଆରରେ ଅଳିଆ ଆବର୍ଜନା ସବୁ କୂଳକୁ ଆସିଥିଲା । କିଏ କହୁଛି ପ୍ରକୃତିର ଏହା ରିଟର୍ଣ୍ଣ ଗିଫ୍ଟ ତ ପୁଣି କିଏ କହୁଛି ବର୍ଷ ବର୍ଷ ଧରି ଆମେ ଯେଉଁ ଗାର୍ବେଜ ସମୁଦ୍ର ମଧ୍ୟକୁ ଫୋପାଡୁଥିଲେ ତାହା ଆମ ପାଖକୁ ହିଁ ଫେରି ଆସିଛି ।

You might also like