୫୦୦ରୁ ଅଧିକ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା; ସେନା ଇଚ୍ଛା ଅନୁସାରେ ଆକ୍ସନ ନେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତରେ ଭୟଙ୍କର ହମ୍‌ଲା କରିବାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଅଣ୍ଟା ଭିଡ଼ିଛନ୍ତି। ଭାରତ ଓ ପାକିସ୍ତାନ ସୀମାନ୍ତରେ ପ୍ରାୟ ୫୦୦ରୁ ଅଧିକ ତାଲିମ ପ୍ରାପ୍ତ ଆତଙ୍କବାଦୀ ଅନୁପ୍ରେବଶ ଅପେକ୍ଷାରେ ରହିଛନ୍ତି। ଭାରତରେ ଏଯାଏ ଯେତେ ସବୁ ଆତଙ୍କୀ ହମ୍‌ଲା ହୋଇଛି, ତା’ଠାରୁ ବଡ଼ ଧରଣର ହିଂସା ଘଟାଇବାକୁ ଏହି ଆତଙ୍କବାଦୀମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଏହି ଖବର ମିଳିବା ପରେ ସେନାକୁ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ନିଜ ଇଚ୍ଛା ଅନୁସାରେ ସ୍ଥାନ, ସମୟ ଓ ଶୈଳୀ ଆପଣାଇ ପାରିବ ବୋଲି ସରକାରୀ ସ୍ତରରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି। ଏଥିପାଇଁ ଏଲଓସିରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀଙ୍କୁ ପାକିସ୍ତାନ ସହ ଲାଗିଥିବା ସମସ୍ତ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।

ଆଜି ସକାଳେ ସ୍ଥଳସେନା ମୁଖ୍ୟ ଜେନେରା ବିପିନ ରାୱତ ମଧ୍ୟ ବାଲାକୋଟ୍‌ରେ ପୁଣିଥରେ ପାକିସ୍ତାନ ସହାୟତାରେ ଟେରର କ୍ୟାମ୍ପ ସକ୍ରିୟ ହୋଇଥିବା କଥା କହିଥିଲେ। ଫେବୃଆରୀ ୨୬ରେ ଏହି ବାଲାକୋଟରେ ଥିବା ଜୈଶର ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା। ଏହାପରେ ଏହି ଆଡ୍ଡା ଛିନଛତର ହୋଇଯାଇଥିଲା। କିନ୍ତୁ ଏବେ ସେଠାରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ଆରମ୍ଭ ହୋଇଛି ବୋଲି ଜେନେରାଲ ରାୱତ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ, ଏଲଓସି ନିକଟରେ ଦିନକୁ ଦିନ ଆତଙ୍କୀ ଲଞ୍ଚ ପ୍ୟାଡ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫୦୦ରୁ ଅଧିକ ଆତଙ୍କୀ ଅପେକ୍ଷା କରି ରହିଛନ୍ତି। ହେଲେ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଥିଲେ।

ଜେନେରାଲ ରାୱତଙ୍କ ଏହି ସୂଚନା ପରେ ସେନାକୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ୪ ଦିନ ପୂର୍ବରୁ ହିଁ ବାଲାକୋଟରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ଆରମ୍ଭ ହୋଇଛି। ଏଠାରେ ଆତଙ୍କୀମାନଙ୍କୁ ଭାରତରେ ହମ୍‌ଲା କରିବାକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି। ତେବେ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ଭାରତୀୟ ସେନା ସ୍ୱତନ୍ତ୍ର ଯୋଜନା ଏବେଠାରୁ ପ୍ରସ୍ତୁତ କରି ସାରିଛି।

ସମସ୍ତ କ୍ରପ୍ସର ସେନା କମାଣ୍ଡୋମାନଙ୍କୁ ନିଜ ଇଚ୍ଛା ଅନୁସାରେ ସମୟ, ସ୍ଥାନ ଓ ଶୈଳୀ ଆପଣାଇ ଆତଙ୍କବାଦୀଙ୍କ ମୁକାବିଲା ଓ ନିପାତ କରିବାକୁ କୁହାଯାଇଛି। ଗତ ୨ ମାସ ମଧ୍ୟରେ ୬୦ରୁ ଅଧିକ ଆତଙ୍କବାଦୀ ଏଲଓସି ଓ ଅନ୍ତର୍ଜାତୀୟ ସୀମା ଡେଇଁ ଭାରତରେ ଅନୁପ୍ରବେଶ କରିଛନ୍ତି। ଏବେ ଏଲଏସି ନିକଟରେ ୪ରୁ ୫ଟି ଆତଙ୍କୀ ଲଞ୍ଚ ପ୍ୟାଡ୍‌ ନିର୍ମାଣ କରାଯାଇଛି। ଏହି ଲଞ୍ଚ ପ୍ୟାଡ୍‌ ଦ୍ୱାରା ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଯୋଜନା ହୋଇଛି।

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଚାହୁଁଛି। ଏଥିପାଇଁ ପାକିସ୍ତାନ ସେନା ଓ ସରକାର ହିଁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ତେଣୁ ଏହାର ମୁକାବିଲା କରିବାକୁ ସେନାକୁ ସମସ୍ତ ପ୍ରକାରର ଅନୁମତି ଦିଆଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଜେନେରାଲ ରାୱତ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଠାରୁ ଆହୁରି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି। ଏଥିସହ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି। ଏଭଳି କରି ପାକିସ୍ତାନ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରୁଛି। ହେଲେ ଭାରତୀୟ ସେନା ଏହାର ମୁକାବିଲା କରି ଚାଲିଛି। ଏକାଧିକ ଅନୁପ୍ରବେଶ ଉଦ୍ୟମକୁ ସେନା ପକ୍ଷରୁ ପଣ୍ଡ କରିଦିଆଯାଇଛି। ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like