ଗୋଟିଏ ଦିନରେ ୫୦ ଡାକ୍ତରଙ୍କ ପ୍ରାଣ ନେଲା କରୋନା

ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ କମିଛି ସତ କିନ୍ତୁ ଡ଼ର ଛାଡ଼ିନାହିଁ। ସଂକ୍ରମଣ କମିଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି। ଦିନକୁ ଦିନ ଦେଶରେ ମୃତକଙ୍କ ସଂଖ୍ୟା ବଢୁଛି। କରୋନା ମହାମାରୀର ଦ୍ୱିତୀୟ ଲହରରେ ଭୟଙ୍କର ସ୍ଥିତିର ସାମ୍ନା କରୁଛି ଦେଶ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାରା ଦେଶରେ କରୋନାରେ ୨୪୪ ଜଣ ଡାକ୍ତର ପ୍ରାଣ ହରାଇଲେଣି। ତେବେ ଚିନ୍ତାର ବିଷୟ ହେଲା ଗତ ରବିବାର ଗୋଟିଏ ଦିନରେ ଏହି ମହାମାରୀ ୫୦ ଜଣ ଡାକ୍ତରଙ୍କର ଜୀବନ ନେଇଛି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏପରି ସାଙ୍ଘାତିକ୍ ତଥ୍ୟ ଜଣାଯାଇଛି। ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ ସର୍ବାଧିକ ୬୯ ଜଣଙ୍କର ବିହାରରେ ମୃତ୍ୟୁ ହୋଇଛି। ଏହା ପଛକୁ ଉତ୍ତର ପ୍ରଦେଶରେ ୩୪ ଜଣ, ଦିଲ୍ଲୀରେ ୨୭ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ଯେଉଁ ଡାକ୍ତରମାନେ କରୋନାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଡାକ୍ତର କରୋନାର ୨ ଡୋଜ୍‌ ଭ୍ୟାକ୍ସିନ୍‌ ନେଇଛନ୍ତି । ଆଇଏମଏ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କରୋନାରେ ପ୍ରାଣ ହରାଇଥିବା ସବୁଠୁ କନିଷ୍ଠ ଡାକ୍ତର ହେଲେ ଡା. ଅନାସ ମୁଜାହିଦ। ତାଙ୍କର ବୟସ ୨୫ ବର୍ଷ। ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେହିଭଳି ସବୁଠୁ ବୟସ୍କ ଡାକ୍ତର ହେଉଛନ୍ତି ବିଶାଖାପାଟଣାର ଡା ଏସ ସତ୍ୟମୂର୍ତ୍ତି। ତାଙ୍କର ବୟସ ୯୦ ବର୍ଷ ହୋଇଥିବାବେଳେ ସେ ଇଏନଟିର ଜଣେ ଅବସରପ୍ରାପ୍ତ ‌ପ୍ରଫେସର। ତେବେ ଗତବର୍ଷ ପ୍ରଥମ ଲହରରେ ଦେଶରେ ୭୩୦ ଜଣ ଡାକ୍ତରଙ୍କ ପ୍ରାଣ ଯାଇଥିଲା ବୋଲି ଆଇଏମଏ କହିଛି।

ଏଠାରେ କହିରଖୁଛୁ ଯେ, ଦୀର୍ଘଦିନ ପରେ ଦେଶରେ ସଂକ୍ରମଣ କମିଛି। ଗତକାଲି ୩ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ କୁ ବୃଦ୍ଧି ପାଇଛି। ଏହାସହ ଗତକାଲି ଦେଶରେ ୪୧୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ସାରା ଦେଶରେ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୪,୩୯୦କୁ ବୃଦ୍ଧି ପାଇଛି। ସେପଟେ, ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ । କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-Deoxy-D-glucoseର ପ୍ରଚଳନ କରାଯାଇଛି । ଦିଲ୍ଲୀର ଡିଆରଡିଓ ଭବନରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ପ୍ରଚଳନ ଆରମ୍ଭ କରିଛନ୍ତି।

You might also like