କରୋନାରେ ଚାଲିଗଲେ ବାପା-ମା’; ଝୁରୁଛନ୍ତି କୁନି କୁନି ଯାଆଁଳା ଶିଶୁ

ଭୋପାଳ:  କରୋନାର ଦ୍ୱିତୀୟ ଲହର ସାଜିଛି ମାରାତ୍ମକ । ଉଜାଡି ଦେଇଛି କେତେ ପରିବାର। କାହା ମଥାରୁ ସିନ୍ଦୂର ପୋଛି ନେଇଛି ତ କାହାକୁ ଅନାଥ କରି ନେଇଛି। କିଏ ନିଜର ଭାଇକୁ ହରାଇଛି ତ କିଏ ନିଜର ସ୍ୱାମୀକୁ। ଆଉ କିଏ ନିଜର ସ୍ତ୍ରୀକୁ ।  ମଧ୍ୟପ୍ରଦେଶ ଭୋପାଳର ବାରଖେଡା ପଠାନି ଅଞ୍ଚଳରୁ ଆସିଛି କରୋନାର ଏକ ଦୃଦୟଥରା ଖବର। ଦୁଇ କୁନି କୁନି ଜାଆଁଳା ଶିଶୁ କନ୍ୟା କରୋନା ସହ ଲଢିଲେ। କରୋନାକୁ ମାତ ଦେଇ ସୁସ୍ଥ ହେଲେ ସିନା ନିଜର ବାପା ମାଆଙ୍କୁ ହରାଇ ବସିଛନ୍ତି । ୫ ବର୍ଷ ନିଷ୍ପାପ ଶିଶୁ ଦୁଇଟି ନିଜ ବାପା ମାଆ ମରି ଯାଇଥିବା ଖବର ଜାଣିନାହାଁନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ କେବେଳ ଆଶ୍ୱାସନା ଦେଇ ପାଳୁଛନ୍ତି ତାଙ୍କ ଅଜା ଓ ଆଈ । 

ମଧ୍ୟପ୍ରଦେଶ ଭୋପାଳ ବାରଖେଡା ପଠାନି ଅଞ୍ଚଳର ୫ ବର୍ଷର ଦୁଇ ଜାଆଁଳା ଶିଶୁକନ୍ୟା ରୁହି ଆଉ ମାହି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ଏହି ଦୁଇ ଶିଶୁ କନ୍ୟା।  ହେଲେ କରୋନା ଏମାନଙ୍କ ମୁଣ୍ଡରୁ ଛଡାଇ ନେଇଛି ବାପା ମାଆଙ୍କ ଛାଇ । ସୁସ୍ଥ ହେବା ପରେ ଏବେ ଜେଜେ ବାପା ଓ ଜେଜେ ମାଆଙ୍କ ପାଖରେ ଅଛନ୍ତି ରୁହି ଆଉ ମାହି । ବାପା ମାଆଙ୍କ ମୃତ୍ୟୁ ବିଷୟରେ ଅଜ୍ଞ ଏମାନେ। ଏବେ ନିଜ ଅଜା ଆଈଙ୍କୁ ପଚାରୁଛନ୍ତି ସେମାନେ କେବେ ଆସିବେ।

ମାହି ଆଉ ରୁହିଙ୍କ ବାପା ମହୋନ ଲାଲ ବରବେ ଓ ମା’ ରୀତା।  ମହୋନ ଲାଲ ବରବେ ନିଜ ଶ୍ୱଶୁର ଘରକୁ ଆସିଥିଲେ । ସେଠାରେ ପରୀକ୍ଷା କରିବା ପରେ ଜଣା ପଡିଲା ସଂପୂର୍ଣ୍ଣ ପରିବାର କରୋନାରେ ଆକ୍ରାନ୍ତ । ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋହନ ଲାଲ୍ ବାରବେଙ୍କୁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ମେ’ ମାସ ୩୦ ତାରିଖରେ ମୋହନା ଲାଲଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ବିୟୋଗ ଦୁଃଖ ସହି ପାରିଲେନି ମା’ ରୀତା।  ଏହାର ତିନି ଦିନି ପରେ କରୋନା ଆକ୍ରାନ୍ତ ରୀତା ବି ଆରପାରିକୁ ଚାଲିଗଲେ । ଏବେ କେବେଳ ମାଆ ବାପାଙ୍କ ଫଟୋକୁ ଦେଖି ମାନି ଯାଉଛନ୍ତି ରୁହି ଆଉ ମାହି ।

ଝିଅ-ଜ୍ୱାଇଁଙ୍କୁ ହରାଇ ଭାଙ୍ଗି ପଡିଥିଲେ ବି ବାପା-ମା’ କୁନି କୁନି ଶିଶୁଙ୍କ ସାମ୍ନାରେ କାନ୍ଦି ପାରୁନାହାନ୍ତି। ନିଜ କୋହକୁ ଚାପି ପିଲାଙ୍କୁ ବୁଝାଉଛନ୍ତି। ରୁହି-ମାହିଙ୍କ ଆଈ କହିଛନ୍ତି, ପିଲାଙ୍କୁ ବୁଝାଇବା ଖୁବ କଷ୍ଟ। କେବଳ ଏତିକି କହୁଛୁ, ପାପା-ମାମା ଡାକ୍ତରଖାନାରେ ଅଛନ୍ତି। ଆସିବେ। ଅନେକ ସମୟରେ ପାପା-ମାମାଙ୍କୁ ଖୋଜୁଛନ୍ତି। ଖୁବ୍‌ ଅଝଟ ହୋଇ କାନ୍ଦୁଛନ୍ତି ରୁହି ଆଉ ମାହି। ହେଲେ କ’ଣ କହି ତାଙ୍କୁ ବୁଝାଇବେ ?

ଭବିଷ୍ୟତରେ ରୁହି ପୋଲିସ ଓ ମାହିଙ୍କ ମଧ୍ୟରୁ ଜଣେ ଡାକ୍ତର ଓ ଜଣେ ପୋଲିସ ହେବା ଲାଗି ରଖିଛନ୍ତି ଆଶା । ବାପା ମାଆଙ୍କୁ ହରାଇବାପରେ ଏବେ ସେମାନଙ୍କ ଆଶା କିଏ ପୂରଣ କରିବ ?  ଏହି ଦୁଇ ଅନାଥ ଶିଶୁଙ୍କ ଭବିଷ୍ୟତ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁହାରୀ କରିଛନ୍ତି ତାଙ୍କର ଅଜା ।

ପଢନ୍ତୁ : ରାଜ୍ୟରେ ୪୦ କରୋନା ସଂକ୍ରମିତ ଆଖି ବୁଜିଲେ

You might also like