ଜାମ୍ମୁ-କାଶ୍ମୀର ସୋପିଅାନରେ ଏନକାଉଣ୍ଟର

ଗୁଳି ବିନିମୟରେ ୫ ଲସ୍କର ଅାତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୋପିଅାନ ଜିଲ୍ଲାରେ କିଲ୍ଲୋରା ଗାଁରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ଅପରେସନ ଅାରମ୍ଭ କରିଥିଲା ସେନା। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଦେଖିବାମାତ୍ରେ ଅାତଙ୍କବାଦୀମାନେ ଅଚାନକ ଗୁଳିମାଡ କରିଥିଲେ।

ଯାହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀମାନେ। ଏଥିରେ ଜଣେ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରାତି ଅଧିକ ହେବାରୁ ଏନ୍‌କାଉଣ୍ଟରକୁ ବନ୍ଦ କରାଯାଇଥିଲେ ମଧ୍ୟ ପୁରା ଏରିଅାକୁ କର୍ଡନ କରି ରଖାଯାଇଥିଲା।

ଅାଜି ସକାଳୁ ପୁଣି ଅାରମ୍ଭ ହୋଇଥିଲା ସେନାର ଅପରେସନ। ଗୁଳିମାଡରେ ଅାଉ ୪ଜଣ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଲସ୍କରର କମାଣ୍ଡର ଉମର ମଲ୍ଲିକ ମଧ୍ୟ ନିହତ ହୋଇଛି। ସେମାନଙ୍କ ଠାରୁ ଦୁଇଟି AK-47 ରାଇଫଲ ଜବତ କରାଯାଇଛି।

ଅପରେସନ ବେଳେ ସ୍ଥାନୀୟଲୋକମାନେ ସୁରକ୍ଷାକର୍ମୀଙ୍କୁ କଡ଼ା ବିରୋଧ କରିଥିଲେ। ଏପରିକି ସେମାନଙ୍କୁ ଲକ୍ଷ୍ୟ କରି ଲୋକମାନେ ଟେକାପଥର ମାଡ଼ କରିଥିଲେ। ଉତ୍ତ୍ୟକ୍ତ ଲୋକମାନଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡିଥିଲା। ଟେକାପଥର ମାଡରେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଅାହତ ହୋଇଥିବା ସୂଚନା ମିଳିଛି।

ଗତକାଲି ମଧ୍ୟ ଅାତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଅାକ୍ରମଣ କରିଥିଲେ। ସୋପୋର ଅଞ୍ଚଳରେ ହୋଇଥିବା ଗୁଳିବିନିମୟରେ ଦୁଇଜଣ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ଅାତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଜଣେ ବିଟେକ୍‌ ଛାତ୍ର ମଧ୍ୟ ଏଥିରେ ନିହତ ହୋଇଥିଲେ। ପୂର୍ବରୁ ଗୁରୁବାର ଦିନ କୁପୱାରା ଅଂଚଳରେ ମଧ୍ୟ ଅାତଙ୍କବାଦୀ ମାନେ ପାଟ୍ରୋଲ୍‌ ଟିମ୍‌କୁ ଲକ୍ଷ୍ୟ କରି ଅାକ୍ରମଣ କରିଥିଲେ।

You might also like