ଡାକ୍ତରଖାନା ଛାଡ଼ି ପଳାଇଲେ ୫ କରୋନା ଆକ୍ରାନ୍ତ, ସହରରେ ହାଇଆଲର୍ଟ ଜାରି
ନାଗପୁର: କରୋନା ପଞ୍ଝାରେ ଏବେ ସାରା ବିଶ୍ୱ ! ଚୀନ ପରେ ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଭାରତରେ ମଧ୍ୟ ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କରୋନାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି।
ଏବେ ଖବର ମିଳିଛି, ମହାରାଷ୍ଟ୍ରର ନାଗପୁର ଡାକ୍ତରଖାନାରୁ ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି ପଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସାରା ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ରୋଗୀଙ୍କୁ ଖୋଜିବା ପାଇଁ ଛାନଭିନ୍ ଚାଲିଛି।
ସୂଚନା ଅନୁଯାୟୀ, ନାଗପୁର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ୫ ଜଣ ରୋଗୀ ଲୁଚି ପଳାଇଛନ୍ତି। ଏହି ଖବର ଦେଇ ଜୋନାଲ ଡିସିପି ରାହୁଲ ମକନିକଟର କହିଛନ୍ତି, ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।ପୁରା ସହରରେ ନାକାବନ୍ଦି କରି ଦିଆଯାଇଛି। ରୋଗୀଙ୍କ ଅବସ୍ଥା କିପରି ଅଛି ତାହା ଜଣାପଡ଼ିନି।
ସୂଚନାଥାଉ କି, ମହାରାଷ୍ଟ୍ରରେ କରୋନାରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ୧,୩୪ ୩୦୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ଭାରତରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି।