ଭାରତର ଏମିତି ସ୍ଥିତି ବିଗାଡ଼ିଛି କରୋନା: ଏହି ୫ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଭାରତର ବି ସ୍ଥିତି ବିଗାଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ହେଲାଣି। ତେବେ କରୋନା ଦ୍ୱାରା ଦେଶର ୫ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ ଓ ତେଲେଙ୍ଗାନାରେ ସର୍ବାଧିକ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଏଯାଏ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ ରାଜ୍ୟରେ ୫୯% ରୋଗୀ ଠାବ ହୋଇଛନ୍ତି। ସେହିପରି ଦେଶର ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୬୪% ଲୋକ ଏହି ୫ ରାଜ୍ୟରେ ହୋଇଥିବା ବେଳେ ୪୫% ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଆଧାରରେ ଆରୋଗ୍ୟ ହେବା ସଂଖ୍ୟାଠାରୁ ମୃତ ସଂଖ୍ୟା ବଳିଯାଉଛି।

ମହାରାଷ୍ଟ୍ର: ଦେଶର ସବୁଠାରୁ କରୋନା ହଟସ୍ପଟ ହେଉଛି ମହାରାଷ୍ଟ୍ର। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୨୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୭ ଜଣ କେବଳ ମହାରାଷ୍ଟ୍ରରେ ପ୍ରାଣ ହରାଇବା ଚିନ୍ତାର ବିଷୟ।

ତାମିଲନାଡୁ: ମହାରାଷ୍ଟ୍ର ପରେ ତାମିଲନାଡୁରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୮୩୪ ଜଣ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ପ୍ରାଣ ହରାଇଛନ୍ତି। ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ତାମିଲନାଡୁରେ ୧୩% ଲୋକ ରହିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି। ଏଠାରେ ୨୧ ଜଣ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀ: ଦେଶର ରାଜଧାନୀ ମଧ୍ୟ କରୋନା ପଞ୍ଝାରୁ ମୁକୁଳି ପାରିନାହିଁ। ଏଠାରେ ଚିହ୍ନଟ ହୋଇଥିବା ୭୨୦ ଜଣଙ୍କ ମଧ୍ୟରୁ ୧୨ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରେ ୧୧% ଲୋକ ରହିଛନ୍ତି।

ରାଜସ୍ଥାନ: କରୋନା ଭାଇରସ ଯୋଗୁ ଏଠାରେ ୬୬୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଅର୍ଥାତ୍ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭.୨% ଲୋକ ଏହି ଠାରୁ ଠାବ ହୋଇଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଏଠାରେ କରୋନା ଭୂତାଣୁ ଠାବ ହୋଇଥିଲା। ହେଲେ ମାସକ ମଧ୍ୟରେ ଏହା ଦ୍ରୁତ ଗତିରେ ବଢ଼ିଛି। ଏଠାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି।

ତେଲେଙ୍ଗାନା: ଦେଶର ୫ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ତାଲିକାରେ ତେଲେଙ୍ଗାନା ରହିଛି। ଏଠାରେ ୪୪୨ଟି ମାମଲା ଠାବ ହୋଇଥିବା ବେଳେ ୩୫ ଜଣ ସୁସ୍ଥ ହୋଇଛନ୍ତି।

You might also like