ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍ ରିପୋର୍ଟ: ଫୋକସରେ ବଙ୍ଗ, କିଏ ଧରିବ ରାଜ୍ୟର ମଙ୍ଗ..?

ନୂଆଦିଲ୍ଲୀ: ସରିଲା ନିର୍ବାଚନ ପର୍ବ। ଏଥର କିଏ ଧରିବ ମଙ୍ଗ, ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ତଥ୍ୟ ଘରୋଇ ଅନୁଷ୍ଠାନ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ କରିଛନ୍ତି। ତେବେ ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଥିବା ବେଳେ କେଉଁ ରାଜ୍ୟରେ କେଉଁ ଦଳ ଶାସନ କ୍ଷମତା ହାତେଇବାର ଅଧିକ ସମ୍ଭାବନା ରହିଛି ସେନେଇ ଏହି ସଂସ୍ଥାମାନେ ଆକଳନ କରିଛନ୍ତି।

ତାମିଲନାଡ଼ୁ

ତେବେ ରିପବ୍ଲିକ ଟିଭି ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ତାମିଲନାଡୁର ୨୩୪ ଆସନରୁ ଡିଏମକେକୁ ୧୬୦ରୁ ୧୭୦ ଆସନ ମିଳିବାର ସମ୍ଭାବନା ରହିଥିବା ବେଳେ ଏଆଇଏଡିଏମକେ ୫୮ରୁ ୫୯ଟି ଆସନ ହାତେଇବର ସମ୍ଭାବନା ରହିଛି। ତେବେ ଅନ୍ୟାନ୍ୟ ଦଳମାନେ ୨ଟି ଆସନରେ ଜିତିପାରନ୍ତି।

ସେହିଭଳି P-MARQର ଆକଳନ ଅନୁସାରେ ଡିଏମକେ ୧୬୫ରୁ ୧୯୦ ସିଟ୍ ଜିତିବାର ସମ୍ଭାବନା ରହିଛି। ଏଆଇଏଡିଏମକେ ୪୦ରୁ ୬୫ ଏବଂ ଅନ୍ୟାନ୍ୟ ୨ରୁ ୯ ଟି ସିଟ୍ ଜିତିପାରନ୍ତି।

ଇଣ୍ଡିଆ ଟୁଡେ ସର୍ଭେ ଅନୁସାରେ ଡିଏମକେକୁ ୧୭୫ରୁ ୧୯୫, ଏଆଇଏଡିଏମକେକୁ ୩୮ରୁ ୫୪ ଏବଂ ଅନ୍ୟାନ୍ୟ ଦଳକୁ ୨ଟି ଆସନ ମିଳିବର ସମ୍ଭାବନା ରହିଛି।

କେରଳ

କେରଳର ମୋଟ ୧୪୦ ବିଧାନସଭା ଆସନ ମଧ୍ୟରୁ ରିପବ୍ଲିକର ପୂର୍ବାନୁମାନ ଅନୁସାରେ ଏଲଡିଏଫ୍ ୭୨ରୁ ୮୦ ଆସନ ପାଇବାର ଆଶା କରାଯାଉଛି। ୟୁଡିଏଫକୁ ୫୮ରୁ ୬୪ ଏବଂ ଅନ୍ୟାନ୍ୟ ଦଳ ପାଇବେ ୧ରୁ ୫ଟି ଆସନ ବୋଲି ରିପବ୍ଲିକ୍ ଆକଳନ କରିଛନ୍ତି।

ସେହିଭଳି P-MARQର ଆକଳନ ଅନୁସାରେ LDF ୭୨ରୁ ୭୯ ସିଟ୍ ପାଇବାକୁ ଥିବା ବେଳେ UDF କୁ ୬୦ରୁ ୬୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୪ଟି ଆସନ ମିଳିବର ସମ୍ଭାବନା ରହିଛି।

ଇଣ୍ଡିଆଟୁଡେ ସର୍ଭେ ଅନୁସାରେ LDFକୁ ୧୦୪ରୁ ୧୨୦ ଆସନ ମିଳିବାର ସମ୍ଭାବନା ଥିବା ବେଳେ UDF କୁ ୨୦ରୁ ୩୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୪ଟି ଆସନ ମିଳିବାର ସମ୍ଭାବନା ରହିଛି।

ପୁଡୁଚେରୀ

ପୁଡ଼ୁଚେରୀର ୩୦ ବିଧାନସଭା ଆସନରୁ ରିପବ୍ଲିକର ଆକଳନ ଅନୁସାରେ ଏନଡିଏକୁ ୧୬ରୁ ୨୦ ଏବଂ ୟୁପିଏକୁ ୧୧ରୁ ୧୩ଟି ଆସନ ମିଳିବାର ସମ୍ଭାବନା ରହିଛି।

ସେହିପରି ଏବିପି/ସି-ଭୋଟର ସର୍ଭେରେ ଏନଡିଏକୁ ୧୯ରୁ ୨୩ ଆସନ ମିଳିବ ବୋଲି ଅନୁମାନ କରାଯାଇଥିବା ବେଳେ ୟୁପିଏକୁ ୬ରୁ ୧୦ଟି ସିଟ୍ ମିଳିବ ବୋଲି କୁହାଯାଉଛି।

ଆସାମ

ତେବେ ଆସାମରେ ବିଜେପି ପୁଣି ସତ୍ତାରେ ରହିବ ବୋଲି ଏକାଧିକ ଏକଜିଟ୍ ପୋଲରେ ଆକଳନ କରାଯାଇଛି। ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି। ଆସାମର ମୋଟ୍ ୧୨୬ ବିଧାନସଭା ସିଟ ମଧ୍ୟରୁ ଇଣ୍ଡିଆ ଟୁଡେ/ ଆକ୍ସିସର ଆକଳନ ଅନୁଯାୟୀ ବିଜେପିକୁ ୭୫ରୁ ୮୦ଟି ସିଟ୍ ମିଳିବାର ସମ୍ଭାବନା ରହିଛି। ସେହିପରି ବିରୋଧୀ କଂଗ୍ରେସମେଣ୍ଟକୁ ୪୦ରୁ ୫୦ ଏବଂ ଅନ୍ୟାନ୍ୟଙ୍କୁ ୧ରୁ ୪ଟି ଆସନ ମିଳିବ ବୋଲି ଆଶା କରାଯାଉଛି।

ସେହିଭଳି ରିପବ୍ଲିକ ସର୍ଭେରେ ବିଜେପିକୁ ୭୪ରୁ ୮୪, କଂଗ୍ରେସକୁ ୪୦ରୁ ୫୦ ଏବଂ ଅନ୍ୟାନ୍ୟଙ୍କୁ ୩ଟି ସିଟ୍ ମିଳୁବ ବୋଲି ଆଶା କରାଯାଇଛି। ସେପଟେ ଏବିପି-ସିଭୋଟର୍ ସର୍ଭେରେ ବିଜେପିକୁ ୭୪ରୁ ୮୪, କଂଗ୍ରେସକୁ ୪୦ରୁ ୫୦ ଏବଂ ଅନ୍ୟାନ୍ୟଙ୍କୁ ଗୋଟିଏ ସିଟ୍ ମିଳିବାର ସମ୍ଭାବନା ରହିଥିବା କୁହାଯାଇଛି।

ପଶ୍ଚିମବଙ୍ଗ

ତେବେ ୫ଟି ଯାକ ରାଜ୍ୟରେ ନିର୍ବାଚନ ହୋଇଛି ସତ। ହେଲେ ସାରା ଦେଶର ନଜର ରହିଛି ପଶ୍ଚିମବଙ୍ଗ ଉପରେ। ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ପଶ୍ଚିମବଙ୍ଗରେ ଏଥର ନିର୍ବାଚନ ସମୟରେ ବିଜେପି ଓ ମମତାଙ୍କ ଟିଏମସି ମଧ୍ୟ କଡ଼ା ଟକ୍କର ଦେଖାଯାଇଛି। ଉଭୟ ଦଳ ଜୋରଦାର ପ୍ରଚାର କରିଛନ୍ତି। ତେବେ ଏପ୍ରିଲ ୨୯ ତାରିଖରେ ଶେଷ ପର୍ଯ୍ୟୟ ତଥା ଅଷ୍ଟମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ଏବେ କିଏ ମଙ୍ଗ ଧରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ମମତା ପୁଣି ସତ୍ତାକୁ ଫେରିବେ ନା ଦୀର୍ଘ ବର୍ଷ ଧରି ନିଷ୍କ୍ରିୟ ହୋଇ ପଡ଼ିରହିଥିବା ବିଜେପି ମାରିବ ବାଜି। ଏହା ଉପରେ ସମସ୍ତଙ୍କ ନଜର।

ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭି ଓ ଜନ କି ବାତ୍‌କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ନ୍ୟୁଜ ଚ୍ୟାନେଲ ମମତା ବାଜିମାତ କରିବେ ବୋଲି ପୂର୍ବନୁମାନ କରିଛନ୍ତି।

ବେଙ୍ଗଲ ବିଧାନସଭାର ଆସନ ସଂଖ୍ୟା ୨୯୪ ରହିଛି। ହେଲେ ଦୁଇଟି ଆସନର ଭୋଟକୁ ସ୍ଥଗିତ ରଖାଯାଇଛି। ତେଣୁ ୨୯୨ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ତେଣୁ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ୨୦୧୬ରେ ଟିଏମସି ୨୧୧ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୩ଟି, ବାମପନ୍ଥୀ ମେଣ୍ଟ ୩୨ ଓ ଅନ୍ୟାନ୍ୟ ଦଳ ୪୮ଟି ଆସନ ଜିତିଥିଲେ।

You might also like