୫ ରାଜ୍ୟ ବିଧାନସଭା ନିର୍ବାଚନ : ବିଜୟ ପଥରେ ନବାଗତ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟ ନିର୍ବାଚନରେ ଅନେକ ନବାଗତ ବିଜୟୀ ହୋଇ ବିଧାନସଭାକୁ ଆସିଥିବାବେଳେ ଅନେକ ପ୍ରମୁଖ ପ୍ରାର୍ଥୀ ପରାଜୟର ସାମ୍ନା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ମମତା ତାଙ୍କର ପୂର୍ବଦିନର ଏକାନ୍ତ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କୋଲକାତା ଟଲିଗଞ୍ଜ ଆସନରୁ ଟିଏମସିର ଅରୂପ ବିଶ୍ୱାସଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଦୁଇ ଦୁଇ ଥର ଆସାନସୋଲରୁ ସାଂସଦଭାବେ ବିଜୟୀ ହୋଇଥିବା ବାବୁଲ ସୁପ୍ରିୟୋ ଏଥର ୪୯ ହଜାର ଭୋଟ୍ ବ୍ୟବଧାନରେ ହାରିଛନ୍ତି। ବିଜେପିର ଅନ୍ୟତମ ପ୍ରମୁଖ ନେତା ଓ ପ୍ରଖ୍ୟାତ ସାମ୍ବାଦିକ ସ୍ଵପନ ଦାସଗୁପ୍ତା ମଧ୍ୟ ତାରକେଶ୍ୱର ଆସନରେ ପରାଜୟର ସାମ୍ନା କରିଛନ୍ତି। ହୁଗୁଳି ଆସନରୁ ପ୍ରାର୍ଥୀ ହୋଇଥିବା ଲକେଟ ଚାଟାର୍ଜୀ ଟିଏମସିର ଅସିତ ମଜୁମଦାରଙ୍କ ଠାରୁ ହାର୍ ମାନିଛନ୍ତି।

ସେପଟେ ଆସାମରେ AJPର ଯୁବ ନେତା ଆସାମ ଜାତୀୟ ପରିଷଦ ପ୍ରାର୍ଥୀ ଲୁରିନଜ୍ୟୋତି ଗୋଗୋଇ ଦୁଲିଜାନ ଓ ନହରକାଟିଆ ଆସନରୁ ପରାସ୍ତ ହୋଇଛନ୍ତି। ସେହିପରି ତାମିଲନାଡୁରେ ବିଜେପି ନେତ୍ରୀ ଖୁସବୁ ସୁନ୍ଦର ନିର୍ବାଚନ ହାରିଯାଇଛନ୍ତି। AMMK ମୁଖ୍ୟ ତଥା ଶଶିକଳାଙ୍କ ସହଯୋଗୀ ଟିଟିଭି ଦିନାକରନ ତାଙ୍କର ପୂର୍ବ ଦଳ AIADMK ପ୍ରାର୍ଥୀ କେଦାମ୍ବୁର ରାଜୁଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହାସହିତ କେରଳରେ ବିଜେପିର ପ୍ରମୁଖ ଚେହେରା ତଥା ମେଟ୍ରୋ ମ୍ୟାନଭାବେ ପରିଚିତ ଇ. ଶ୍ରୀଧରନ ପଲକ୍କଡ ଆସନରେ ହାରିଥିବାବେଳେ ରାଜ୍ୟ ବିଜେପି ସଭାପତି କେ. ସୁରେନ୍ଦ୍ରନ କୋନି ଆସନରେ ପରାସ୍ତ ହୋଇଛନ୍ତି।

ତେବେ ପରିତାପର ବିଷୟ ଯେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜେପି ପାର୍ଟି ଅଫିସ୍ ଜାଳିବା ସହ ବିଜେପି କର୍ମୀଙ୍କୁ ମାଡ଼ମରା ଯାଇଥିବା ଅଭିଯୋଗ ହୋଇଛି। ଏସବୁ ପଛରେ ଟିଏମ୍‌ସି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ ଆଣିଛି। ନିର୍ବାଚନ ଫଳାଫଳ ନିଜ ପକ୍ଷରେ ଆସିବା କ୍ଷଣି ଟିଏମ୍‌ସି କର୍ମୀ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଆରାମବାଗ୍‌ ସ୍ଥିତ ବିଜେପି ଅଫିସ୍‌ରେ ଟିଏମ୍‌ସି କର୍ମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହାସହ ବେଲାଘାଟରେ ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ସହ ଶିବପୁର, ଦୁର୍ଗାପୁରରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି।

ଟିଏମ୍‌ସି କର୍ମୀଙ୍କ ଏଭଳି ହିଂସାକାଣ୍ଡକୁ କଡ଼ା ଭାଷାରେ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି। କ୍ଷମତାରେ ପୁଣି ଆସିବା ପରେ ଆସନ୍ତା ୫ ବର୍ଷ ଯାଏ ଏହା ହିଁ ଟିଏମ୍‌ସି କରିବ ବୋଲି ସେ କହିଛନ୍ତି। ସେପଟେ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ।

You might also like