ଦିନେ ପଞ୍ଚ ତାରକା ହୋଟେଲ୍ରେ ସେଫ୍ ଥିଲେ, ଆଜି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ବିରିୟାନୀ
ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ ତାରକା ହୋଟେଲ୍ରେ ସେଫ୍(chef) ଥିଲେ, ଆଜି ସେ ରାସ୍ତାକଡ଼ରେ ଷ୍ଟଲ୍ ଲଗାଇ ବିରିୟାନୀ ବିକ୍ରି କରୁଛନ୍ତି। ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ମୁମ୍ବାଇର ଅକ୍ଷୟ ପାର୍କର୍ ପଞ୍ଚ ତାରକା ହୋଟେଲରେ ସେଫ୍ ଥିଲେ। ହେଲେ କରୋନା ଯୋଗୁ ଦୀର୍ଘ ୮ ବର୍ଷ ଧରି ସେଫ୍ ଥିବା ଅକ୍ଷୟ ତାଙ୍କର ଚାକିରି ହରାଇ ଥିଲେ। ଶେଷରେ ଜୀବିକା ପାଇଁ ସେ ମୁମ୍ବାଇ ରାସ୍ତାକଡ଼ରେ ଷ୍ଟଲ୍ ଲଗାଇ ପଞ୍ଚ ତାରକା ହୋଟେଲ୍ର ସ୍ୱାଦ ଭଳି ବିରିୟାନୀ ବିକ୍ରି କରୁଛନ୍ତି।
ଅକ୍ଷୟଙ୍କ ଏହି ଦୁଃଖଭରା କାହାଣୀକୁ ‘Being Malwani’ ନାମକ ଏକ ଫେସ୍ବୁକ୍ ପେଜ୍ ସର୍ବ ସମ୍ମୁଖକୁ ଆଣିଛି। ଏହି ପେଜ୍ରେ ଅକ୍ଷୟଙ୍କ ଫଟୋ ଶେଆର କରାଯିବା ସହ କରୋନା କିଭଳି ଭାବରେ ତାଙ୍କର ଜୀବିକା ଛଡ଼ାଇ ନେଇଛି, ସେସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।
ମୁମ୍ବାଇ ଦାଦର୍ରେ ଶିବାଜୀ ମନ୍ଦିର ସାମ୍ନାରେ ଅକ୍ଷୟ ତାଙ୍କ ନାଁରେ ‘ପାରକର୍ ବିରିୟାନୀ ହାଉସ୍’ ନାମକ ଏକ ଛୋଟ ଫୁଡ୍ ଷ୍ଟଲ୍ ଖୋଲିଛନ୍ତି। ବିରିୟାନୀ ପ୍ରସ୍ତୁତ କରି ସେ ଲୋକମାନଙ୍କୁ ପଞ୍ଚ ତାରକା ହୋଟେଲ୍ର ସ୍ୱାଦ ଭଳି ବିରିୟାନୀ ଯୋଗାଉଛନ୍ତି। ମେନ୍ୟୁରେ ସେ ୩ ପ୍ରକାରର ବିରିୟାନୀ ରଖିଛନ୍ତି, ଯଥା- ଭେଜ୍ ବିରିୟାନୀ, ଏଗ୍ ବିରିୟାନୀ ଓ ଚିକେନ୍ ବିରିୟାନୀ। ବିରିୟାନୀ ହାପ୍ ପ୍ଲେଟ୍କୁ ୬୫ ଟଙ୍କା ଓ ଫୁଲ୍ ପ୍ଲେଟ୍ ୧୪୦ ଟଙ୍କା ରହିଛି। ହୋମ୍ ଡେଲିଭରି, ୱେଡିଂ ଓ ପାର୍ଟି ପାଇଁ କ୍ୟାଟରିଂ ଅର୍ଡର ମଧ୍ୟ ନେଉଛନ୍ତି ଅକ୍ଷୟ।
ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ ହେଉଛନ୍ତି ତାଙ୍କ ପରିବାରର ଏକ ମାତ୍ର ବ୍ୟକ୍ତି ଯିଏକି ପରିବାର ପ୍ରତିପୋଷଣ କରୁଛନ୍ତି। ତେଣୁ ଚାକିରି ହରାଇବା ପରେ ସେ ସମୟ ନଷ୍ଟ ନକରି ବିରିୟାନୀ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି କାହାଣୀ ଆଜିର ଯୁବପିଢ଼ିଙ୍କ ପାଇଁ ନିଶ୍ଚିତ ଭାବରେ ଉଦାହରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।