ମୋଦିଙ୍କ ବାଂଲାଦେଶ ଗସ୍ତ ଐତିହାସିକ: ହସିନା

ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ୫ଟି କ୍ଷେତ୍ରରେ ସହଯୋଗ ଓ ସହଭାଗିତା ଲାଗି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବାଂଲାଦେଶ ଗସ୍ତର ଅନ୍ତିମ ଦିନରେ ବାଂଲା ପ୍ରତିପକ୍ଷ ଶେଖ୍ ହସିନାଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାମଧ୍ୟରେ ରହିଛି ଯୋଗାଯୋଗ, ଶକ୍ତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ବିକାଶ ସହଯୋଗ। ଏହାସହ ପ୍ରଧାନମନ୍ତ୍ରୀ ମୋଦି ବାଂଲାବାସୀଙ୍କ ପାଇଁ ୧୦୯ ଆମ୍ବୁଲାନ୍ସ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି।

ବାଂଲାଦେଶର ୫୦ ବର୍ଷ ପୂର୍ତ୍ତି ଅବସରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଏବଂ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ମୋଦିଙ୍କ ବାଂଲାଦେଶ ଗସ୍ତକୁ ଐତିହାସିକ କହିବା ସହିତ ଦୁଇ ଦେଶର ସମ୍ପର୍କକୁ ୫୦ ବର୍ଷ ପୂରିଥିବାରୁ ସେ ଖୁସୀ ଥିବା ଶେଖ୍ ହସିନା କହିଛନ୍ତି। ବ୍ୟସ୍ତବହୁଳ ବାଂଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆଜି ସତଖିରା ଜିଲ୍ଲାର ଈଶ୍ୱରୀପୁରରେ ଥିବା ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ମୁକ୍ତିଯୋଦ୍ଧାଙ୍କ ସହ ସେଠାକାର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ। ଏହି ଅବସରରେ ସେ କହିଥିଲେ- ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଲଢିଥିବା ମୁକ୍ତିଯୋଦ୍ଧାଙ୍କ ରକ୍ତ ଏବଂ ଭାରତୀୟ ସୈନ୍ୟଙ୍କ ରକ୍ତ ଏକାଠି ବୋହିଛି। ଏହି ରକ୍ତ ଏଭଳି ଏକ ସମ୍ପର୍କ ତିଆରି କରିବ ଯାହା କି କୌଣସି ଚାପ ଆଗେ ନଇଁବନି କି କୂଟନୀତିର ଶିକାର ହେବନି ବୋଲି ସେ କହିଥିଲେ।

You might also like