ପୁଲିସ୍‌ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ: ଆମେରିକାରେ ତେଜିଲା ବିକ୍ଷୋଭ ନିଆଁ, ୪୦ ସହରରେ କର୍ଫ୍ୟୁ

ୱାଶିଂଟନ୍‌: ପୁଲିସ୍‌ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ବିକ୍ଷୋଭ ନିଆଁ ତେଜିବାରେ ଲାଗିଛି। ଦିନକୁ ଦିନ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ହ୍ୱାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରିସ୍ଥିତିିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌କୁ ଟିୟର୍‌(ଲୁହବୁହା) ଗ୍ୟାସ୍‌ ବ୍ୟବହାର କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ପରିସ୍ଥିତି ଅଣାୟାତ୍ତ ହେଉଥିବା ଦେଖି ୱାଶିଂଟନ୍,‌ ଡିସି ସମେତ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଥିବା ସୂଚନା ମିଳିଛି। ୱାଶିଂଟନ୍‌, ଲସ୍‌ ଏଞ୍ଜେଲସ୍‌,Houston,ମିନେପୋଲିସ୍‌ ସମେତ ଅନେକ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

ମେ’ ୨୫ରେ ମିନେପୋଲିସ୍‌ରେ ପୁଲିସ୍‌ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍‌, ଜର୍ଜଙ୍କ ଗଳାକୁ ଚିପି ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ। ମିନେପୋଲିସରୁ ଦେଖାଦେଇଥିବା ଏହି ନିଆଁ ଏବେ ଅନ୍ୟ ସହରକୁ ବ୍ୟାପିବାରେ ଲାଗିଛି।

You might also like