ହତ୍ୟା କରିବାକୁ ଆସିଥିଲେ, ନିରୀହ ଶିଶୁକୁ ଦେଖି ଖୋଲିଦେଲେ ରହସ୍ୟ

ଗାଜିଆବାଦ: ଏମିତି ଦୟାବନ୍ତ ହତ୍ୟାକାରୀ ଅଛନ୍ତି ଦୁନିଆରେ ! ହତ୍ୟାକାରୀ ପୁଣି ଦୟାବନ୍ତ ହୋଇପାରେ ?  କଥାଟା ଶୁଣି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି କି ?  ଆଶ୍ଚର୍ଯ୍ୟ ହେଉଛନ୍ତି କି ?  ମାତ୍ର କଥାଟି ସତ । କୋମଳମତି ଶିଶୁକୁ ଦେଖି ଜଣେ ହତ୍ୟାକାରୀର ହୃଦୟ ବଦଳିଯାଇଛି ଆଉ ରକ୍ଷା ପାଇ ଯାଇଛି ଦୁଇଟି ନୀରିହ ଜୀବନ। ତେବେ ସୁପାରୀ ଦେଇଥିବା ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀ ପୋଲିସ ହାତରେ ଧରାପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରୁ। ଖାଲି ଅଭାବନୀୟ ନୁହେଁ, ଟଙ୍କାର ଲୋଭ ମଣିଷକୁ କେମିତି ଅନ୍ଧ କରିଦିଏ ତାହାର ଏକ ନିଚ୍ଛକ ଉଦାହରଣ ମଧ୍ୟ।

ଉତ୍ତରପ୍ରଦେଶ ଗାଜିଆବାଦର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ। ପତ୍ନୀଙ୍କର ଇନ୍‌ସ୍ୟୁରାନ୍ସ ଟଙ୍କା ପାଇବା ଲାଗି ସ୍ୱାମୀ କରିଥିଲେ ସାଂଘାତିକ ଷଡ଼ଯନ୍ତ୍ର । ତେବେ ୪ ବର୍ଷର କୋମଳ ଶିଶୁକୁ ଦେଖି ସୁପାରୀ କିଲର ହୃଦୟ ତରଳି ଗଲା।   

ପୂରା ଘଟଣା ଥିଲା ଏମିତି। ଗାଜିଆବାଦର ଅଜୟ ଯାଦବ ଇନ୍‌ସ୍ୟୁରାନ୍ସ  ଟଙ୍କା ହାତେଇବା ଲାଗି ସ୍ତ୍ରୀ ରାକ୍ଷୀ ଓ ୪ ବର୍ଷର ପୁଅକୁ ହତ୍ୟା ଲାଗି ଦେଇଥିଲା ସୁପାରୀ । ଏଥିପାଇଁ ପେସାଦାର ଅପରାଧୀ ଗିରିରାଜ ଯାଦବ ସହ ହୋଇଥିଲା ୧୦ ଲକ୍ଷର ଡିଲ୍ । ଅଜୟର ସାଙ୍ଗ ରାମ ପ୍ରକାଶ ଏହି ଡିଲ୍ କରାଇଥିଲା । ସେତିକି ନୁହେଁ,  ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ଲାଗି ବି ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ।

ଯୋଜନା ମୁତାବକ ଗତ ୨୬ ତାରିଖ ଗିରିରାଜ ମାଆ ଓ ପୁଅକୁ ହତ୍ୟା ଲାଗି ସେଲସମ୍ୟାନ ରୂପରେ ଅଜୟ ଘରକୁ ଯାଇଥିଲା। ତେବେ ସେଠାର ଅଜୟର ୪ ବର୍ଷର ପୁଅକୁ ଦେଖି ତା ମନ ବଦଳି ଯାଇଥିଲା। ଅଜୟର ସ୍ତ୍ରୀ ରାକ୍ଷୀକୁ ପୁରା ଷଡ଼ଯନ୍ତ୍ରର ପ୍ରମାଣ ଦେଇ ସେଠାରୁ ଛୁ ମାରିଥିଲା ଗିରିରାଜ। ପତ୍ନୀ ରାକ୍ଷୀର ଅଭିଯୋଗ ଓ ପ୍ରମାଣ ଅଧାରରେ ପୋଲିସ ଅଜୟ ଓ ସହଯୋଗୀ ରାମ ପ୍ରକାଶକୁ ଗିରଫ କରିଛି।

ଏଠି କହି ରଖିବୁ, ଅଭିଯୁକ୍ତ ଅଜୟ ଆଜମଗଡ଼ରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଭାବେ କାର୍ଯ୍ୟ କରୁଥିଲା । ପତ୍ନୀ ରାକ୍ଷୀ ବିହାରର ବାସିନ୍ଦା।  ୪ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ ତେବେ ଅଜୟ ଅନ୍ୟ କାହା ସହ ସଂପର୍କ ରଖିଥିବା ରାକ୍ଷୀ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ପୋଲିସ ଜାଣିବାକୁ ପାଇଛି।

 

You might also like