ଘରକୁ ଫେରୁଥିଲେ, ପିଟିଦେଲା ଗାଡ଼ି: ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅ ଅଛନ୍ତି।

ସମ୍ପୃକ୍ତ ମହିଳା ଜଣକ ତାଙ୍କର ୬ ବର୍ଷର ଝିଅକୁ ଧରି ଅଟୋରେ ଗାଁକୁ ଫେରୁଥିବା ବେଳେ ଉତ୍ତରପ୍ରଦେଶର ଫତେହପୁର ନିକଟରେ ଏକ ଟ୍ରକ୍‌ ସେମାନଙ୍କର ଅଟୋକୁ ଧକ୍କା ଦେଇଥିଲା। ଏହି ଅଟୋରେ ଉକ୍ତ ମହିଳା ଓ ତାଙ୍କ ଝିଅ ସମେତ ଆଉ କିଛି ଲୋକ ମଧ୍ୟ ଥିଲେ। ଗତକାଲି ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଆଜି ସକାଳେ ହରିୟାଣାରେ କାର୍‌ ଧକ୍କାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ଘର ବିହାରରେ ବୋଲି ସୂଚନା ମିଳିଛି। ସେମାନେ ଚାଲି ଚାଲି ବିହାର ଯାଉଥିବାବେଳେ ହରିୟାଣାର ଆମ୍ବଲା Cantt ନିକଟରେ ଏକ କାର୍ ଦ୍ରୁତ ଗତିରେ ଆସି‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ କାର୍‌କୁ ପୁଲିସ୍‌ ଜବତ କରିଛି।

ସେହିପରି ଜଣେ ୨୫ ବର୍ଷୀୟ ଶ୍ରମିକ ସାଇକେଲରେ ଘରକୁ ଫେରୁଥିବା ବେଳେ କାର୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ରାଏବରେଲୀରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ଶିବ୍‌ କୁମାର ଦାସ। ଶିବ୍‌ ଓ ଆଉ କିଛି ଶ୍ରମିକ ସାଇକେଲ୍‌ରେ ୟୁପିର ବୁଲନ୍ଦଶହରରୁ ବିହାର ସ୍ଥିତ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ରାଏବରେଲୀ ନିକଟରେ ଏକ୍‌ କାର୍‌ର ବ୍ରେକ୍‌ ଫେଲ୍‌ ହେବା ଯୋଗୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ଶ୍ରମିକଙ୍କୁ ଧକ୍କା ଦେଇଥିଲା।

ସୂଚନାଥାଉ କି, ଗତ ସପ୍ତାହରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

You might also like