କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ

ନାଗପୁର: ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ନାଗପୁର ସ୍ଥିତ ୱେଲ୍‌ ଟ୍ରିଟ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ସେଠାରେ ଚିକିତ୍ସିତ ହେଉଥିବା ୨୭ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସର୍ଟ ସର୍କିଟରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହସ୍ପିଟାଲ୍‌ଟି ୩୦ଟି ବେଡ୍ ବିଶିଷ୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୫ଟି ଆଇସିୟୁ ବେଡ୍ ରହିଛି। ଘଟଣାକୁ ନେଇ ନାଗପୁର ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଚିଫ୍‌ ଫାୟାର ଅଫିସର ରାଜେନ୍ଦ୍ର ଉଚେକ୍‌ କହିଛନ୍ତି, “ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ଥିବା ଆଇସିୟୁର ଏସି ୟୁନିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁ କେବଳ ଏହି ମହଲାରେ ହିଁ ଲାଗିଥିଲା ଓ ଏହା ଅନ୍ୟତ୍ର ବ୍ୟାପି ନଥିଲା। ହସ୍ପିଟାଲ୍‌ରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରାଯାଉଥିଲା।”

ଅନ୍ୟପକ୍ଷେ, ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ଜିଲ୍ଲାପାଳ ରବିନ୍ଦ୍ର ଠାକ୍‌ରେ ସିଭିଲ୍‌ ସର୍ଜନଙ୍କ ସହ ଆଲୋଚନ କରିବା ସହ ଘଟଣାର ତଦନ୍ତ ସହ ଯେତେ ଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାଭିସ୍ ‌ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେପଟେ ପୁଣି ଥରେ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସୂଚନାଥାଉ କି, ଚଳିତ ବର୍ଷ ମାର୍ଚ୍ଚରେ ମୁମ୍ବାଇ ଭାନ୍‌ଦୁପ୍‌ ଅଞ୍ଚଳରେ ଥିବା ସନ୍‌ରାଇଜ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ହସ୍ପିଟାଲ୍‌ରେ କୋଭିଡ୍‌ କେୟାର ଫାସିଲିଟି ଥିଲା।

ଗତକାଲି ଦେଶରେ ୧,୩୧,୯୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୮୦ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। ଶୁକ୍ରବାର ନାଗପୁରରେ ୬,୫୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ରରେ ୱିକେଣ୍ଡ୍‌ କଟକଣା ଲଗା ଯାଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ପ୍ରାଇଭେଟ୍‌ ସେଣ୍ଟର ଗୁଡ଼ିକରେ ସାମୟିକ ଭାବରେ ଟିକାକରଣ ପ୍ରକ୍ରିୟା ବନ୍ଦ ରହିଛି।

You might also like