ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ: ପୁଣି ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍ରେ ୪.୫ ରହିଛି।
ତେବେ ନ୍ୟାସ୍ନାଲ୍ ସେଣ୍ଟର ଫର୍ ସେସିମୋଲୋଜି(ଏସିଏସ୍) ଅନୁସାରେ ଭୂମିକମ୍ପର ତୀବ୍ରତା ୪.୬ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା। ରାତି ୯.୮ରେ ଏହି ଭୂମିକମ୍ପ ହୋଇଥିବା ବୋଲି ଏନ୍ସିଏସ୍ ରିପୋର୍ଟ ପ୍ରକାଶ କରିଛି।
ଗୁର୍ଗାଓଁ ଓ ନୋଏଡ଼ାରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପରେ କ୍ଷୟକ୍ଷତି ହେବା ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ।
ପୂର୍ବରୁ ଭାରତର ଉତ୍ତରାଞ୍ଚଳରେ ଲଗାତର ଦୁଇଥର ଭୂମିକମ୍ପ ହେବା ପରେ ଆଜି ପୁଣିଥରେ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ମେ ୨୫ ତାରିଖରେ ମଣିପୁରରେ ୧୩ ମିନିଟ ବ୍ୟବଧାନରେ ଦୁଇଟି ଭୂମିକମ୍ପ ହୋଇଥିଲା। ପ୍ରଥମଟିର ତୀବ୍ରତା ୫.୫ ଥିବା ବେଳେ ଦ୍ୱିତୀୟଟି ୨.୬ ଥିଲା।
ପ୍ରଥମଟି ରାତି ୮.୧୨ରେ ବିଷ୍ଣୁପୁର ଜିଲ୍ଲା ମୋଇରାଙ୍ଗ ସହରରୁ ଦକ୍ଷିଣ ପଶ୍ଚିମ ଆଡ଼କୁ ୧୩ କିମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ବେଳେ ଏହାର ୩ ମିନିଟ୍ ପରେ ସମାନ ସହରରେ ପଶ୍ଚିମ ଓ ଦକ୍ଷିଣ ଆଡ଼କୁ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା ବୋଲି ଏସିଏସ୍ କହିଛି।
ପୂର୍ବରୁ ଏପ୍ରିଲ୍ ୧୨ ତାରିଖରେ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ୩.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯାହାର କେନ୍ଦ୍ର ସ୍ଥଳ ୱାଜିରାବାଦ ଥିଲା। ଏହା ପରଦିନ ପୁଣି ୨.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୁତ ହୋଇଥିଲା। ପୁଣି ମେ ୧୦ ତାରିଖ ରବିବାର ଦିନ ୧.୪୫ ମିନିଟ୍ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରହିଥିଲା।