ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଘୋଷଣା: ଆଜି କୃଷି, ଗୋପାଳନ ଓ ମତ୍ସ୍ୟ ଚାଷକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଶୁକ୍ରବାର ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ଆଜି ୧୧ଟି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେଥିମଧ୍ୟରୁ ୮ଟି କୃଷିର ବିଭିନ୍ନ ବିଭାଗର ଭିତ୍ତିଭୂମି ନେଇ ଘୋଷଣା ହୋଇଥିବା ବେଳେ ଅନ୍ୟ ତିନିଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ଦିଗରେ ଘୋଷଣା ହୋଇଛି।

ଆଜି ତୃତୀୟ ପର୍ଯ୍ୟାୟ ପ୍ୟାକେଜ୍‌ ଘୋଷଣା ବେଳେ ଗତ ଦୁଇ ମାସରେ ୭୪, ୩୦୦ କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ କିଣାଯାଇଛି ବୋଲି ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି। ଗତ ୨ ମାସ ମଧ୍ୟରେ ୧୮, ୭୦୦ କୋଟି ଟଙ୍କା ଡିବିଟିରେ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଆଜିର ପ୍ୟାକେଜ୍‌ରେ ପ୍ରାଥମିକ ସମବାୟ ସମିତି ଓ କୃଷକ ସମିତି ପାଇଁ ୧ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହି ରାଶି ଭିତ୍ତିଭୂମି ନିର୍ମାଣ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ। ଏଥିସହିତ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ ପାଇଁ ଏହି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।
ସେହିପରି କୃଷି କ୍ଲଷ୍ଟର୍‌ ନିର୍ମାଣ ପାଇଁ ୧୦ ହଜାର କୋଟି ଖର୍ଚ୍ଚ କରିବାକୁ ଘୋଷଣା ହୋଇଛି। ଏହି ଅର୍ଥରାଶୀରେ ବିଭିନ୍ନ ଅଞ୍ଚଳରେ ଉତ୍ପଦାନ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର ନିର୍ମାଣ ହେବ। ତେଲେଙ୍ଗାନାରେ ହଳଦୀ ଓ ଆନ୍ଧ୍ରରେ ଲଙ୍କା, କାଶ୍ମୀରରେ କେଶର, କର୍ଣ୍ଣାଟକରେ ରାଗିକୁ ନେଇ କ୍ଲଷ୍ଟର ନିର୍ମାଣ କରାଯାଇପାରେ। ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ଏହି  ଅନୁଦାନ ଘୋଷଣା ହୋଇଛି।

ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ନୂଆ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସାତୀରମଣ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ମତ୍ସ୍ୟ ଚାଷ ପାଇଁ ୧୧ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଫିସିଂ ହାର୍ବର, ମାର୍କେଟ, ମଣ୍ଡି ନିର୍ମାଣ ପାଇଁ ୯ ହଜାର କୋଟି ଦିଆଯିବ। ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ୍‌ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ୫୫ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି।

ପଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ବ୍ୟାପକ ଟୀକାକରଣ ଯୋଜନା କରିବାକୁ ନିଷ୍ପତ୍ତି ହୋଇଛି। ୫୩ କୋଟି ଗୋରୁ, ଗାଇ ଓ ମଇଁଷିଙ୍କୁ ଟୀକାକରଣ କରାଯିବ। ଟୀକାରଣ ପାଇଁ ୧୩, ୩୩୪ କୋଟି ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେହିଭଳି ଗୋପାଳନ ଡାଏରୀ ପାଇଁ ୧୫ ହଜାର କୋଟି ପାଣ୍ଠି ଯୋଗାଣ ହୋଇଛି। ଏହି ଅର୍ଥରାଶି ଦୁଗ୍ଧ ପ୍ରୋସେସିଂ ପ୍ଲାଣ୍ଟ, ଗୋଖାଦ୍ୟ କାରଖାନା ସ୍ଥାପନ ପାଇଁ ଖର୍ଚ୍ଚ ହେବ।

ଔଷଧୀୟ ଗଛ ପାଇଁ ମଧ୍ୟ ୪ ହଜାର କୋଟି ଅନୁଦାନ ଘୋଷଣା କରିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ। ୧୦ ଲକ୍ଷ ହେକ୍ଟର ଜମିରେ ମେଡିସିନ୍‌ ଓ ହର୍ବାଲ୍‌ ଚାଷ ପାଇଁ ଯୋଜନା ରଖାଯାଇଛି। ଏହାଦ୍ୱାରା ଚାଷୀ ୫ ହଜାର କୋଟି ଟଙ୍କାର ଆୟ କରିପାରିବେ। ଔଷଧୀୟ ଗଛର ବିକ୍ରିବଟା ପାଇଁ ସ୍ୱତନ୍ତ୍ର ମଣ୍ଡି ବିକଶିତ କରାଯିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରାଳୟ ନିର୍ମଳା ସୀତାରମଣ।

ମହୁ ଚାଷକୁ ପ୍ରୋତ୍ସାହନ ତେବାକୁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା କରିଛନ୍ତି। ଏଥିପାଇଁ ୫୦୦ କୋଟିର ଅନୁଦାନ ଘୋଷଣା କରିଚନ୍ତି ଅର୍ଥମନ୍ତ୍ରୀ। ଏହି ଯୋଜନାରେ ୨ ଲକ୍ଷ ମହୁ ଚାଷୀଙ୍କର ଆୟ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି।

ଚାଷୀଙ୍କ ସୁବିଧା ପାଇଁ ସଂଶୋଧନ ହେବ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ। କୃଷି କ୍ଷେତ୍ରରେ ନିବେଶ ବଢ଼ାଇବା ପାଇଁ  ଆଇନ୍‌ରେ ସଂଶୋଧନ ହେବ। ପିଆଜ, ଆଳୁ ଓ ଡାଲି ଜାତୀୟ ଦ୍ରବ୍ୟକୁ ଏହି ଆଇନ୍‌ରୁ ବାଦ୍‌ ଦିଆଯିବ। ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଲାଭ ଦେବା ପାଇଁ ଏହି ଆଇନ୍ ବଦଳିବ। ତେବେ ଆପାତାକାଳୀନ ସ୍ଥିତି ଓ ମରୁଡ଼ି ସମୟରେ କଟକଣା ରହିବ।

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ କରାଯିବ। ଉଚିତ୍‌ ମୂଲ୍ୟ ପାଇଁ ଉତ୍ପାଦିତ ଦ୍ରବ୍ୟର ଇ-ଟ୍ରେଡିଂ କରିପାରିବେ ଚାଷୀ। ନିଜ ଉତ୍ପାଦିତ ଦ୍ରବ୍ୟର ସର୍ବାଧିକ ମୂଲ୍ୟ ପାଇବାକୁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ କରିବାକୁ ଆଜି ଘୋଷଣା କରିଛନ୍ତି ନିର୍ମଳା।

କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ରେ ଭୁଶୁଡ଼ି ପଡ଼ିଛି ଦେଶର ଅର୍ଥନୀତି। ସବୁ ବିଭାଗରେ ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ କେବଳ ବିଦେଶ କମ୍ପାନୀ ଉପରେ ନିର୍ଭର ନ କରି ସ୍ୱଦେଶୀ ଦ୍ରବ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ ବେଳେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆତ୍ମନିର୍ଭର ଭାରତ କଥା କହି ୨୦ ଲକ୍ଷ କୋଟିର ବଡ଼ ପ୍ୟାକେଜ୍‌ ଘୋଷଣା କରିଥିଲେ। ଯାହାର ସମ୍ପୂର୍ଣ୍ଣ ବିବରଣୀ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଦିଆଯିବ ବୋଲି ସୂଚନା ଦେଇଥିଲେ ପିଏମ୍।

ଏଥିପାଇଁ ଅର୍ଥମନ୍ତ୍ରୀ ୧୩ ତାରିଖରୁ ଅପରାହ୍ନ ୪ରେ ପ୍ରତିଦିନ ନୂଆ ନୂଆ ବିଭାଗ ପାଇଁ ‌ଅର୍ଥ ଘୋଷଣା କରୁଛନ୍ତି। ୧୩ ତାରିଖ MSME ପାଇଁ ତିନି ଲକ୍ଷ କୋଟିର ଋଣ ଘୋଷଣା କରିଥିଲେ। ସେହିଭଳି ୧୪ରେ ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଆଉ ଆଜି ୧୫ ତାରିଖ ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍‌ ଘୋଷଣା କରାଯାଇଛି।

 

 

You might also like