ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ଇଣ୍ଡୋନେସିଆ

ସୁନାମୀ ନେଲା ୩୮୪ ଜୀବନ

ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ଇଣ୍ଡୋନେସିଆ। ଭଗ୍ନସ୍ତୁପରେ ପରିଣତ ହୋଇଛି ସୁଲାୱେସି ଦ୍ୱୀପର ପାଲୁ ସହର। ଭୂକମ୍ପ ପରେ ଆସିଥିବା ସୁନାମୀରେ ସବୁ କିଛି ଛାରଖାର ହୋଇଯାଇଛି। ପାଲୁ ସହର ନିକଟ ବେଳାଭୂମି ଅଞ୍ଚଳକୁ ଯେମିତି ନିଜ ଜିଭରେ ଚାଟି ନେଇଛି ସମୁଦ୍ର। ଭୂକମ୍ପ ଓ ସୁନାମୀରେ ପାଖାପାଖି ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି।

ଶୁକ୍ରବାର ଅପରାହ୍ନରେ ହଠାତ୍ ମାଡ଼ି ଆସିଥିଲା ୧୦ ଫୁଟ୍ ଉଚ୍ଚତାରେ ଜୁଆର। କେହି କିଛି ଭାବିବା ପୂର୍ବରୁ ସବୁ କିଛି ହୋଇ ଛାରଖାର୍ ହୋଇଯାଇଥିଲା। ଏହିସମୟରେ ପାଲୁଠାରେ ବେଳାଭୂମି ମହୋତ୍ସବ ପାଇଁ ଚାଲିଥିବାରୁ ସୁନାମୀ ମାଡ଼ରେ ଏଠାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

କେବଳ ସୁନାମୀ ନୁହେଁ, ତା ପୂର୍ବରୁ ଆସିଥିବା ଭୂକମ୍ପ ପ୍ରଭାବରେ ବଡ଼ ବଡ଼ କୋଠା ମାଟିରେ ମିଶିଯାଇଛି। ଏପରିକି ହସ୍ପିଟାଲ ବି କ୍ଷତିଗ୍ରସ୍ତ ହୋଇଥିବାରୁ ଗୁରୁତର ଆହତଙ୍କୁ ଖୋଲା ଆକାଶ ତଳେ ଓ ଅସ୍ଥାୟୀ କ୍ୟାମ୍ପରେ ଚିକିତ୍ସା କରାଯାଉଛି।

ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ପାଲୁ ବିମାନଘାଟି ବି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଠାରୁ ଉଡ଼ାଣ ବନ୍ଦ ରହିଛି। ଅନେକ ସ୍ଥାନରେ ଟେଲିଫୋନ୍ ଲାଇନ୍ ଓ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଶହ ଶହ ଲୋକ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ୟୁ.ଏସ୍. ଜିଓଲୋଜିକାଲ ସର୍ଭେର ସୂଚନା ଅନୁଯାୟୀ, ଦକ୍ଷିଣ ପାଲୁ ଠାରୁ ପ୍ରାୟ ୫୬ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ରିକ୍ଟର୍‌ ସ୍କେଲରେ ଏହାର ତୀବ୍ରତା ୭.୫ ଆକଳନ କରାଯାଇଥିଲା। ଭୂମିକମ୍ପ ପରେ ପ୍ରଳୟଙ୍କାରୀ ସୁନାମୀ ଆସି ତାଣ୍ଡବ ରଚିଥିଲା।

ଏହା ପୂର୍ବରୁ ୨୦୦୪ରେ ସୁମାତ୍ରାରେ ରିକ୍ଟର୍ ସ୍କେଲ୍‌ରେ ୯.୧ ତୀବ୍ରତାର ଭୂକମ୍ପ ଯୋଗୁ ସୁନାମୀ ଆସି ଭାରତ ସମେତ ବିଭିନ୍ନ ଦେଶରେ ୨ ଲକ୍ଷ ୩୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ତା’ ମଧ୍ୟରୁ କେବଳ ଇଣ୍ଡୋନେସିଆରେ ୧ ଲକ୍ଷ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ସେହିପରି ଗତ ଅଗଷ୍ଟ ୫ ତାରିଖରେ ସେହି ଇଣ୍ଡୋନେସିଆ ଲାମ୍ବୋକ୍‌ରେ ହୋଇଥିବା ଭୂମିକମ୍ପରେ ୪୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

 

You might also like