୩୭ ଡାକ୍ତର କରୋନା ପଜିଟିଭ୍
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ଅନ୍ୟ ଅନୁଷ୍ଠାନରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିକି କୋଭିଡ୍ ଯୋଦ୍ଧା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଗତ କିଛିଦିନ ହେବ ସାର୍ ଗଙ୍ଗାରାମ ହସ୍ପିଟାଲ୍ରେ ବହୁ ସଂଖ୍ୟକ ରୋଗୀ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଫଳରେ ସ୍ୱାସ୍ଥ୍ୟକର୍ମୀମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୩୭ ଜଣ ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ଯୁବ ଡାକ୍ତର ଅଛନ୍ତି ଓ ସେମାନେ ଭ୍ୟାକ୍ସିନ୍ ନେଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ୍ ଟ୍ରେସିଂ ଆରମ୍ଭ ହୋଇଛି। ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶଙ୍କର ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ‘ସାର୍ ଗଙ୍ଗାରାମ ହସ୍ପିଟାଲ୍ରେ କରୋନା ରୋଗୀଙ୍କ ଚିକିତ୍ସା କରିବା ବେଳେ ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ ମଧ୍ୟରୁ ଅଧିକାଂଶଙ୍କର ସାମାନ୍ୟ ଲକ୍ଷଣ ଦେଖାଦେଇଛି। ୩୨ ଜଣ ଡାକ୍ତର ହୋମ୍ ଆଇସୋଲେସନ୍ରେ ଥିବାବେଳେ ୫ ଜଣ ଡାକ୍ତର ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।’
ଗୁରୁବାର ଦିଲ୍ଲୀରେ ୭,୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ଥିଲା। ସେହିପରି ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଫଳରେ ମୃତକଙ୍କ ସଂଖ୍ୟା ୧୧,୧୫୭ରେ ପହଞ୍ଚିଛି।
ସୂଚନାଥାଉ କି, କିଛିଦିନ ତଳେ ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ King George’s Medical University (KGMU)ର ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପଜିଟିଭ୍ଙ୍କ ମଧ୍ୟରେ କୁଳପତି ଲେଫ୍ଟନାଣ୍ଟ୍ ଜେନେରାଲ୍(ଅବସରପ୍ରାପ୍ତ) ବିପିନ୍ ପୁରୀ ମଧ୍ୟ ଥିଲେ।
ଦିଲ୍ଲୀ ସମେତ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜରାଟ, କେରଳ, ପଞ୍ଜାବ ଭଳି ୧୦ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୫ ଜଣଙ୍କର ମୃତ୍ୟୁ ଘଟିଥିଲା। କରୋନା ସ୍ଥିତିକୁ ନେଇ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ।