ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢ଼ିବ ନାରୀଶକ୍ତି : ପ୍ରଥମ ଥର ପାଇଁ ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ୩୪ ମହିଳା ଯବାନ୍

ପାଞ୍ଚ ବର୍ଷ ପୂର୍ବେ ଗଣତନ୍ତ୍ର ଦିବସ ପରେଡ଼ରେ କୋବ୍ରା କମାଣ୍ଡୋ ପ୍ରଥମ ଥର ପାଇଁ ନଜର ଆସିଥିଲେ। ଆମେରିକୀୟ କମାଣ୍ଡୋଙ୍କ ପରି ଏହି ସ୍ୱତନ୍ତ୍ର ୟୁନିଟର ଗଠନ କରାଯାଇଛି।

ନୂଆଦିଲ୍ଲୀ :  ଘଞ୍ଚ ଜଙ୍ଗଲରେ ନକ୍ସଲ ବିରୋଧରେ ଲଢ଼ିବେ ନାରୀଶକ୍ତି। ପ୍ରଥମଥର ପାଇଁ ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ। ମାଓବାଦୀ ବିରୋଧରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଫୋର୍ସ ‘କୋବ୍ରା’ରେ ମହିଳା ସୁରକ୍ଷା କର୍ମୀଙ୍କୁ ସାମିଲ କରିଛି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ । ମହିଳାଙ୍କୁ ସଶକ୍ତ କରିବାକୁ ତଥା ଦେଶରେ ଉଦାହରଣ ସୃଷ୍ଟି ପାଇଁ ଏପରି ବଡ଼ ପଦକ୍ଷେପ ନିଆଯାଇଛି। ଏହି  ମହିଳା କମାଣ୍ଡୋ ମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ପଠାଯିବାର ଯୋଜନା ରହିଛି ।

ଶନିବାର ପ୍ରଥମ କରି କେନ୍ଦ୍ରୀୟ ପୁଲିସ ବଳର ଏକ ୩୪ ଜଣିଆ ମହିଳା ଦଳ ସାମିଲ ହୋଇଛନ୍ତି। ଏମାନଙ୍କୁ ପାଖାପାଖି ତିନିମାସ କଠୋର କୋବ୍ରା ପ୍ରି-ଇଣ୍ଡକ୍ସନ୍ ତାଲିମ ଦିଆଯିବା।  ତୀକ୍ଷ୍ଣ ବେଗରେ ଅସ୍ତ୍ରଶସ୍ତ୍ର ଚାଳନା, ଫିଲ୍ଡ କ୍ରାଫ୍‌ଟ୍ସ, ବିସ୍ଫୋରକ ସାମଗ୍ରୀ ବିଷୟରେ ଧାରଣା, ଜଙ୍ଗଲରେ ବଞ୍ଚିବାର କଳା ଇତ୍ୟାଦି ସମ୍ପର୍କରେ  ଶିକ୍ଷା ଦିଆଯିବ। ଫଳରେ ସେମାନଙ୍କର ଶାରୀରିକ ଦକ୍ଷତା ଏବଂ କୌଶଳର ଦକ୍ଷତା ବୃଦ୍ଧି ହୋଇପାରିବ। ଏହାସହ  ଜଙ୍ଗଲରେ ରହୁଥିବା ନକ୍ସଲମାନଙ୍କ ସହିତ ମୁହାଁମୁହିଁ ବେଳେ ଏବଂ ଘେରି ରହିଥିଲେ ନିଜକୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର କୌଶଳ ମଧ୍ୟ ଶିଖାଯିବ । ଟ୍ରେନିଂ ପୁରା ହେବାପରେ ଏହି ମହିଳା ଯୋଦ୍ଧାଙ୍କ ବ୍ୟାଚକୁ ପୁରୁଷ ଯବାନଙ୍କ ସହ ନିଘଞ୍ଚ ଜଙ୍ଗଲରେ ନିୟୋଜିତ କରାଯିବ।

 

ଏହି ଫୋର୍ସର ଯବାନ ମାନେ ଜଙ୍ଗଲ ମଧ୍ୟରେ ଶତ୍ରୁପକ୍ଷକୁ ମାତ୍ ଦେବାରେ ସମ୍ପୂର୍ଣ୍ଣ ମାହିର। ଯାହା ଏମାନଙ୍କୁ ଅନ୍ୟ ଯବାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମାଣ୍ଡୋମାନେ ଜଙ୍ଗଲରେ ବିନା ସାହାଯ୍ୟରେ ୧୧ ଦିନ ପର୍ଯ୍ୟନ୍ତ ଏକୁଟିଆ ଲଢ଼େଇ କରିବାର କ୍ଷମତା ରଖନ୍ତି। ୨୩ କିଲୋ ଓଜନ ସହ ୧୧ ରାତି ଘନ ଜଙ୍ଗଲରେ ଘୁରି ବୁଲିପାରନ୍ତି। ଏଥିପାଇଁ କୋବ୍ରା କମାଣ୍ଡୋ ଦୁନିଆର ବିଭିନ୍ନ ସୁରକ୍ଷା ବାହିନୀରେ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି କମାଣ୍ଡୋମାନଙ୍କ ମଧ୍ୟରୁ ଅନେକ ଏସପିଜି ଓ ଜେଡ଼୍ ପ୍ଲସ ଶ୍ରେଣୀ ସୁରକ୍ଷା ବିଭାଗରେ ମୁତୟନ ହୁଅନ୍ତି। ଏହି ଯବାନ ମାନଙ୍କୁ ପର୍ସନାଲ ଆର୍ମର ସିଷ୍ଟମ, ଗ୍ରାଉଣ୍ଡ ଟ୍ରୁପ୍ସ ହେଲମେଟ୍, ୟୁଏସର ଏମ ୱାନ୍ ହେଲମେନଟ୍ ଓ ଜର୍ମାନୀ ଆର୍ମିର ସ୍ୱତନ୍ତ୍ର ହେଲମେଟ୍ ପ୍ରଦାନ କରାଯାଇଥାଏ।

ସୂଚନା ଅନୁସାରେ ଦୁର୍ଗମ ବଣଜଙ୍ଗଲରେ ନକ୍ସଲମାନଙ୍କ ସହିତ ଲଢ଼ିବା ଉଦ୍ଦେଶ୍ୟରେ ୨୦୦୯ରେ କେନ୍ଦ୍ରୀୟ ସୁରକ୍ଷା ବଳର ଏହି କୋବ୍ରା ବାହିନୀ ଗଠିତ ହୋଇଥିଲା। ପୂର୍ବରୁ ଏଥିରେ କେବଳ ପୁରୁଷ ଯବାନମାନେ ହିଁ ସାମିଲ ହେଉଥିଲେ। ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଏବଂ ମହିଳା ସଶକ୍ତୀକରଣ ପାଇଁ ଛଅଟି ମହିଳା ସିଆର୍‌ପିଏଫ୍‌ କେନ୍ଦ୍ରରୁ ଏହି ୩୪ ଜଣଙ୍କୁ ବଛାଯାଇ ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି।

 

 

 

 

You might also like