ଏହି ଆମ୍ବ ଗଛରେ ଏକା ସାଙ୍ଗରେ ଫଳୁଛି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ କେମିତି ଏହା ହେଲା ସମ୍ଭବ

ଏହା କେମିତି ସମ୍ଭବ?

ଲକ୍ଷ୍ନୌ: ଆସିଲାଣି ଖରାଦିନ। ଏବେ ବଜାରରେ ଭଳିକି ଭଳି ଦେଖିବାକୁ ମିଳିବ ଆମ୍ବ। ଅବଶ୍ୟ ଏବେ ପ୍ରତିମାସରେ ବଜାରରେ ଆମ୍ବ ମିଳୁଛି। କିନ୍ତୁ ସୁଆଦିଆ ଦେଶୀ ଆମ୍ବ କେବଳ ଖରାଦିନରେ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହୋଇଥାଏ। କହିବାକୁ ଗଲେ, ଆମ ସମସ୍ତଙ୍କ ବାଡ଼ିରେ ପ୍ରାୟ ଆମ୍ବ ଗଛ ରହିଛି। କିନ୍ତୁ ଥରେ ଚିନ୍ତା କରନ୍ତୁ ଗୋଟିଏ ଆମ୍ବ ଗଛରେ ଯେତେବେଳେ ଏକା ସାଙ୍ଗରେ ୩୦୦ ରୁ ଅଧିକ ପ୍ରକାରର ଆମ୍ବ ଫଳିବ। ହୁଏତ ଏହି କଥା ଆପଣ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏହା ପୂରା ସତ କଥା। ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଅନ୍ତର୍ଗତ ମଲୀହାବାଦର ହାଜୀ କଲୀମୁଲ୍ଲାହ ଖାନ ‘ଭାରତର ଆମ୍ବ ମଣିଷ’ ଭାବେ ବେଶ୍‌ ପ୍ରସିଦ୍ଧ ଲାଭ କରିଛନ୍ତି।

ସେ ଏକଧାରରେ ସଫଳ ଉଦ୍ୟାନ ଚାଷୀ ଓ ଉଦ୍ୟାନ କୃଷି ଗବେଷକ ମଧ୍ୟ। ମାତ୍ର ପନ୍ଦର ବର୍ଷ ବୟସରେ ସେ ବିଦ୍ୟାଳୟ ଛାଡ଼ିଥିଲେ ଏବ˚ ଆଗକୁ ପଢ଼ି ପାରିନଥିଲେ। କିନ୍ତୁ କିଛି କରିବାର ଇଚ୍ଛା ଓ ନିଜସ୍ୱ ଉଦ୍ୟମ ତାଙ୍କୁ ଜଣେ ସଫଳ ଉଦ୍ୟାନ ଚାଷୀ ଓ ଗବେଷକ ଭାବରେ ପରିଣତ କରିପାରିଛି। ନିଜର ଅତ୍ୟାଧୁନିକ ଗବେଷଣା ବଳରେ ନିଜ ବାଡ଼ିରେ ଥିବା ଗୋଟିଏ ଆମ୍ବ ଗଛରୁ ପାଖାପାଖି ୩୦୦ ପ୍ରକାରର ଆମ୍ବ ଉତ୍ପାଦନ କରିପାରୁଛନ୍ତି। ଏହି ଘଟଣା ଅବିଶ୍ୱନୀୟ ମନେହେଉଥିଲେ ହେଁ ଏହା ସତ୍ୟ ଏବ˚ ଉଦ୍ୟାନ କୃଷି ବିଶେଷଜ୍ଞମାନେ ତାଙ୍କ ଗବେଷଣାକୁ ସ୍ୱୀକୃତି ମଧ୍ୟ ଦେଇସାରିଛନ୍ତି।

ବହୁ ବର୍ଷ ତଳେ ଗୋଟିଏ ଗୋଲାପ ଗଛରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ଫୁଟୁଥିବା ଦେଖି ହାଜୀ ଉଦ୍ଭିଦ କଲମୀକରଣ ବିଦ୍ୟା ପ୍ରତି ଆଗ୍ରହୀ ହୋଇଥିଲେ। ୧୯୮୭ରେ ଏକ ଆମ୍ବ ଗଛରେ ଏହି ବିଦ୍ୟାର ପ୍ରୟୋଗ ନେଇ ପରୀକ୍ଷା-ନିରୀକ୍ଷା ଆରମ୍ଭ ବି କରିଥିଲେ। ଆଉ ମାତ୍ର ୮ ବର୍ଷ ଭିତରେ ସେ ଉଲ୍ଲେଖନୀୟ ସଫଳତା ପାଇଥିଲେ। ୩୦୦ ପ୍ରକାରର ଆମ୍ବ ଫଳୁଥିବା ଗଛଟିର ନାମ- ଅଲ ମୁକର୍ରର ବୋଲି ସୂଚନା ମିଳିଛି। ଖରାଦିନେ ଅଲ ମୁକର୍ରର ବିଭିନ୍ନ ଆକାର, ପ୍ରକାର ଓ ରଙ୍ଗର ଆମ୍ବରେ ଭରିଯାଏ। ସେହି ଦୃଶ୍ୟ ଦେଖିବାକୁ ଅନେକ ଏତେ ସୁନ୍ଦର ଯେ, ସ୍ଥାନୀୟ ଲୋକ ତାକୁ ଦେଖିବାକୁ ପଳାଇ ଆସନ୍ତି।

ଅଲ ମୁକର୍ରରରେ ଫଳୁଥିବା ଆମ୍ବଗୁଡ଼ିକୁ ହାଜୀ ବିକ୍ରି ନ କରି ସ୍ଥାନୀୟ ଲୋକଙ୍କୁ ବାଣ୍ଟିଦେଉଛନ୍ତି। ସେ କହିଛନ୍ତି ଯେ, କଲମୀକରଣ ଯେଉଁ ସମୟରେ ମୁଁ ଶିଖିଥିଲି ସେ ସମୟରେ ଅନେକ ଘାତ ଓ ପ୍ରତିଘାତ ଦେଇ ଯିବାକୁ ପଡ଼ିଥିଲା। ତେଣୁ ଏତେ କଷ୍ଟରେ ଯେଉଁ ଗଛରେ ଫଳ ଫଳାଉଛି ତାହାକୁ ବିକ୍ରି କଲେ ମତେ ଯେଉଁ ଖୁସି ନମିଳିବ ତାହା ଲୋକଙ୍କୁ ମାଗଣାରେ ଦେଲେ ତାହାଠୁ ଅଧିକ ଖୁସି ମିଳୁଛି। ତେବେ ସେହି ସ୍ୱତନ୍ତ୍ର ଆମ୍ବର ସ୍ୱାଦ ମଧ୍ୟ ବେଶ ନିଆରା ବୋଲି ସ୍ଥାନୀୟ ଲୋକ କହିଛନ୍ତି।

You might also like