ନିର୍ବାଚନ ହେଉଥିବା ରାଜ୍ୟରେ ୩୦୦ ପ୍ରତିଶତ ବଢିଲାଣି ସଂକ୍ରମଣ, ତଥାପି ଚେତୁନାହାନ୍ତି ନେତା କି ଜନତା

ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ଆଉ ବୋଲ ମାନୁନାହିଁ କରୋନା। ଦେଶରେ ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। ତେବେ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେପରି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ହେଉଥିବାରୁ ଏଠାରେ କେତେ ମାତ୍ରାରେ କରୋନା ନିୟମ ମାନୁଛନ୍ତି ନେତା ଓ ଜନତା ତାହକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।

କହିରଖୁଛୁ, ପଶ୍ଚିମବଙ୍ଗ ଏବଂ ଆସାମ ସମେତ ବିଧାନସଭା ନିର୍ବାଚନ ହୋଇଥିବା ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ନିର୍ବାଚନ ମାହୋଲ ଥିବାରୁ ପ୍ରଚାର ମୈଦାନକୁ ଘନ ଘନ ଯାଉଛନ୍ତି ନେତା। ନେତା ତ କେବଳ ଯାଉଛନ୍ତି ତାହା ନୁହେଁ ବରଂ ହଜାର ହଜାର କର୍ମୀ ମଧ୍ୟ ଏକତ୍ରୀତ ହେଉଛନ୍ତି। ଯାହା ଫଳରେ କରୋନା ଭୟଙ୍କର ଭାବରେ ବୃଦ୍ଧି ପାଉଛି। ରାଲି କିମ୍ବା‌ ରୋଡ୍‌ ସୋ’ ସମୟରେ କୌଣସି କରୋନା ନିୟମ ପାଳନ କରାଯାଉନାହିଁ ।

ଏହା ଫଳରେ ଗତ ୧୪ ଦିନ ମଧ୍ୟରେ ନିର୍ବାଚନ ହେବାକୁ ବା ହେଉଥିବା ଥିବା ରାଜ୍ୟମାନଙ୍କରେ ସଂକ୍ରମଣ ମାମଲା ୩୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ୧୪ ଦିନରେ ପଶ୍ଚିମବଙ୍ଗରେ ନୂଆ ସଂକ୍ରମଣ ମାମଲା‌ରେ ୩୭୮ ପ୍ରତିଶତ ବୃଦ୍ଧି ହୋଇଛି। ଯାହାକୁ ନେଇ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଆସାମରେ ଗତ ୨ ସପ୍ତାହରେ ନୂଆ ସଂକ୍ରମଣ ମାମଲାରେ ୩୩୧ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ପୁଡ଼ୁଚେରୀରେ ସଂକ୍ରମଣ ମାମଲାରେ ୧୭୫ ପ୍ରତିଶତ ଏବଂ କେରଳରେ ସଂକ୍ରମଣ ୮୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ତାମିଲନାଡ଼ୁରେ ୧୭୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି।

କରୋନାକୁ ପ୍ରତିହତ କରିବାକୁ ନିର୍ବାଚନ କମିଶନ ମଧ୍ୟ କରୋନା କଟକଣା ମାନିବାକୁ ସମସ୍ତ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ଯେ, ନିର୍ଦ୍ଦେଶ ଦେଇଥିଲେ ତାହା ନୁହେଁ ବରଂ ନିୟମ ନମାନିଲେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଥିଲେ। କିନ୍ତୁ କରୋନା କଟକଣାକୁ ଫୁ କରି ନିର୍ବାଚନ ପ୍ରଚାରରେ ନେତା ବ୍ୟସ୍ତ ଥିବା ବେଳେ କରୋନା ନିଜର କାୟା ବିସ୍ତାର କରୁଛି। ଯଦି ଏବେ ସଚେତନ ନହୁଅନ୍ତି ଲୋକେ ତାହାଲେ ଆଗାମୀ ଦିନରେ ସଂକ୍ରମଣକୁ ରୋକିବା ଅସମ୍ଭବ ହୋଇପଡିବ କହିଲେ ଅତ୍ୟୁକ୍ତି ହେବ ନାହିଁ।

You might also like