ଫେବ୍ରୁଆରୀ ଭିତରେ ଭାରତ ଆଣିପାରେ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ଟୀକା ଏବଂ ଔଷଧ ହିଁ କରୋନାକୁ ମାତ୍ ଦେଇପାରିବ। ଆଉ ଏହା ପାଇଁ ଦେଶର ୩୦ଟି ସଂଗଠନ କାମ କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍। ଦେଶର ବଡ଼ ବଡ଼ କମ୍ପାନି, ସଂଗଠନ, ବୈଜ୍ଞାନିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏଦିଗରେ ଅହରହ କାମ କରୁଛନ୍ତି।

ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଭାରତ ଆଣିପାରେ କରୋନା ଭ୍ୟାକ୍ସିନ। ଏବେ ପ୍ରିକ୍ଲିନିକାଲ ଷ୍ଟେଜରେ ଅଛି। ଆସନ୍ତା ଅକ୍ଟୋବ ସୁଦ୍ଧା ପ୍ରିକ୍ଲିକାଲ ଷ୍ଟଡି ଶେଷ ହୋଇଯିବ ଓ ୨୦୨୧ ଫେବ୍ରୁଆରୀ ସୁଦ୍ଧା ଭ୍ୟାକ୍ସିନ ପ୍ରସ୍ତୁତ ହୋଇପାରେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍।

ସେ କହିଛନ୍ତି ଭ୍ୟାକ୍ସିନ ଓ ଔଷଧ ହିଁ କରୋନାକୁ ଦେଇପାରିବ ମାତ୍ ଏଥିପାଇଁ ଦେଶର ୩୦ଟି ଗ୍ରୁପ କାମ କରୁଛନ୍ତି। ଭ୍ୟାକ୍ସିନ ପ୍ରସ୍ତୁତିରେ ସାଧାରଣତଃ ୧୦ରୁ ୧୫ ବର୍ଷ ସମୟ ଲାଗିଥାଏ। ଆମେ ବର୍ଷେ ଭିତରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଲାଗିଛନ୍ତି। ତେବେ ଭ୍ୟାକ୍ସିନ ୪ ପ୍ରକାରର ରହିଛି। ପ୍ରଥମ ହେଲା ଭାଇରସରର ଜେନେଟିକ୍ ମେଟେରିଆଲ୍। କମ୍ପୋନେଟକୁ ମଣିଷ ଶରୀରରେ ଦିଆଯାଏ।

ଦ୍ୱିତୀୟ ହେଲା ଦୁର୍ବଳ ଶ୍ରେଣୀର ଭାଇରସକୁ ନେଇ ଭ୍ୟାକ୍ସିନ ପ୍ରସ୍ତୁତ କରିବା। ତୃତୀୟ ହେଲା ଅନ୍ୟ ଭାଇରସକୁ ବ୍ୟବହାର କରି କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ଓ ଚତୁର୍ଥ ହେଲା ଭାଇରସର ପ୍ରୋଟିନ ଲ୍ୟାବରେ ପ୍ରସ୍ତୁତ କରିବା।

ତେବେ କରୋନାକୁ ମାତ ଦେବା ପାଇ ଔଷଧ ମଧ୍ୟ ପ୍ରସ୍ତୁତ ହେଉଛି। ତେବେ ବିନା ସାଇଡ୍ ଇଫେକ୍ଚରେ କେବଳ ଭାଇରସ ସହ ଲଢିବା ପାଇଁ ଔଷଧ ପ୍ରସ୍ତୁତି ସବୁଠୁ ବଡ଼ ଚ୍ୟାଲେଂଜ ବୋଲି କହିଛନ୍ତି ରାଘବନ୍।

ଏପରିକି କିଛି ରିସର୍ଚ୍ଚ ସ୍କଲାର ବି ଭ୍ୟାକ୍ସିନ୍ ଏବଂ ଔଷଧ ନିର୍ମାଣ କାମରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ଟି ସଂଗଠନ ବେଶ ଆଗୁଆ ବି ରହିଛନ୍ତି। ତେଣୁ ଏଦିଗରେ ଆଗେ ସକାରାତ୍ମକ ରହିବା ବୋଲି ରାଘବନ୍ କହିଛନ୍ତି।

ତେବେ ବିଶ୍ୱରେ ଭ୍ୟାକସିନ୍ ନିର୍ମାଣରେ ଭାରତ ସବୁଠୁ ଆଗରେ ରହିଛି। ତେଣୁ କରୋନା କ୍ଷେତ୍ରରେ ବି ସଫଳତା ନେଇ ଆଶା ରଖିଥିବା ସେ କହିଛନ୍ତି।

କରେନାକୁ ମାତ୍ ଦେବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଟ୍ରାକିଂ, ଟେଷ୍ଟିକୁ ବଢ଼ାଯାଇଛି। ମୁଖ୍ୟତଃ RT-PCR ଟେଷ୍ଟକୁ ଦେଶରେ ବଢ଼ାଯାଉଛି, ଯାହାଦ୍ୱାରା ଲକ୍ଷଣ ନଥିଲେ ବି ଆକ୍ରାନ୍ତଙ୍କୁ ଚିହ୍ନଟ କରିହେଉଛି।

ସେହିଭଳି ଦେଶରେ AICTE ଏବଂ CSIR ଦ୍ୱାରା ଡ୍ରଗ୍ ହେକାଥନ୍ ଆୟୋଜନ ହେଉଛି, ଯେଉଁଠି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେବା ଦ୍ୱାରା ଔଷଧ ପ୍ରସ୍ତୁତିକୁ ପ୍ରୋତ୍ସାହନ ମିଳୁଥିବା ସେ କହିଛନ୍ତି।

You might also like