ଜିତିଲା ଜୀବନ: ୧୧୦ ଫୁଟ୍‌ ଗଭୀର ବୋରୱେଲ୍‌ରୁ ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ପାଟନା: ଜୀବନ ସହ ଦୀର୍ଘ ୩୦ ଘଣ୍ଟାର ସଂଗ୍ରାମ ପରେ ଶେଷରେ ପୁନର୍ଜନ୍ମ ପାଇଲା ବିହାରର ୩ ବର୍ଷର ଶିଶୁକନ୍ୟା ସାନା। ୧୧୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ଗତକାଲି ଉଦ୍ଧାର ପରେ ସାନା ଏବେ ସୁସ୍ଥ ଥିବା ଜଣାପଡିଛି।

ସେନା, ଏନଡିଆରଏଫ୍‌, ବିହାର ଏସଡିଆରଏଫ୍ ଓ ପୁଲିସର ନନ୍‌ଷ୍ଟପ୍ ଅପରେସନ୍‌ ପରେ ସାନାକୁ ଅକ୍ଷତ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ୍‌ ସମୟରେ ଉଦ୍ଧାର କରାଯାଇଥିଲା। ପରେ ତତ୍‌କ୍ଷଣାତ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସାନାକୁ ଗୋଟିଏ ଦିନ ରଖାଯିବ।

ବିହାର ମୁଙ୍ଗେର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରେ ୧୧୦ ଫୁଟ ଗଭୀର ବୋରୱେଲ୍‌ ଭିତରେ ଖସି ପଡ଼ିଥିଲା ସାନା। ଏହାର ୬ ଘଣ୍ଟା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଶିଶୁଟିକୁ ଉଦ୍ଧାର ପାଇଁ ଜି ଜାନ୍ ଲଗାଇ ଦେଇଥିଲା ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ର ମିଳିତ ରେସ୍କ୍ୟୁ ଅପରେସନ୍ ଟିମ୍‌।

ସାନାକୁ ଉଦ୍ଧାର କରିବା ପାଇଁ ମେସିନ୍ ଯୋଗେ ଏକ ସମାନ୍ତରାଳ ସୁଡଙ୍ଗ ଖୋଳା ଯାଇଥିଲ। ତାକୁ ନିୟମିତ ଅକ୍ସିଜେନ୍ ଯୋଗାଣ ସହ ଅକ୍ଷତ ଉଦ୍ଧାର ପାଇଁ ସବୁ ପ୍ରକାର ବ୍ୟବସ୍ଥା ଆପଣାଇଥିଲା ରେସ୍କ୍ୟୁ ଟିମ୍।

You might also like