୩ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ, ଜଣେ କଲା ଆତ୍ମସମର୍ପଣ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା ।  ଦକ୍ଷିଣ କାଶ୍ମୀରର ସୋପିଆନ ସେକ୍ଟରରେ ଗୁରୁବାର ସକାଳୁ ସକାଳୁ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏଥିସହିତ ଜଣେ ଆତଙ୍କୀ ଆତ୍ମସମର୍ପଣ କରଥିବା ଖବର ମିଳିଛି । ଆତ୍ମସମର୍ପଣ କରିଥିବା ଆତଙ୍କୀର ନାମ ତୈସିଫ ଅହମ୍ମଦ । ଅନ୍ୟ ଆତଙ୍କୀଙ୍କୁ ଧରିବା ପାଇଁ ସଂପୃକ୍ତ ଇଲାକାରେ ସର୍ଚ୍ଚ ଅପରେଶନ ଜାରି ରହିଛି ।
 ମିଳିଥିବା ସୂଚନା ମୁତାବକ, ସୋପିଆନ ସେକ୍ଟରର କନିଗାମ୍‌ ଇଲାକାରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ଭାରତୀୟ ସୁରକ୍ଷାବଳ ଗୋଇନ୍ଦା ସୂତ୍ରରୁ ଖବର ପାଇଥିଲେ । ଏମାନେ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଖବର ମିଳିଥିଲା । ଏହି ଖବରକୁ ଆଧାର କରି ସୁରକ୍ଷାକର୍ମୀ ସ୍ଥାନୀୟ ପୋଲିସ ସହାୟତାରେ ଏକ ଟିମ୍‌ ଗଠନ କରିଥିଲେ । ଏହି ଟିମ୍‌ କନିଗ୍ରାମରେ ବିଳମ୍ବିତ ରାତିରେ ଅପରେସନ୍ ଅଲଆଉଟ୍ ଆରମ୍ଭ କରିଥିଲେ । ଏହି ସମୟରେ ଧରାପଡ଼ିଯିବା ଭୟରେ ଆତଙ୍କୀମାନେ ପ୍ରଥମେ ନିଜ ଆଡୁ ଫାୟାରିଂ ଆରମ୍ଭ କରିଥିଲେ ।

ସୁରକ୍ଷାକର୍ମୀମାନେ ପ୍ରଥମେ ଆତଙ୍କୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ । ହେଲେ ଆତଙ୍କୀମାନେ ଫାୟାରିଂ ଜାରି ରଖିଥିଲେ । ତେଣୁ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଫାୟାରିଂ କରିବାକୁ ପଡ଼ିଥିଲା । ଦୀର୍ଘସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିବା ପରେ ତିନି ଜଣ ଆତଙ୍କୀ ନିପାତ ହୋଇଥିଲେ । ଜଣେ ଆତଙ୍କୀ ଆତ୍ମସମର୍ପଣ କରିଥିଲା । ନିହତ ଓ ଆତ୍ମ ସମର୍ପଣ କରିଥିବା ସମସ୍ତ ଆତଙ୍କବାଦୀ ଅଲ୍ ବଦର ସଂଗଠନ ସହ ସଂପୃକ୍ତ ।

ଏନକାଉଣ୍ଟର ପରେ ଏବେ ବି ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ସମସ୍ତ ୪ ଆତଙ୍କବାଦୀ ନୂଆ କରି ସଂଗଠନରେ ସାମିଲ ହୋଇଥିଲେ । ବଡ଼ ଧରଣର ଆତଙ୍କୀ କାଯର୍ୟକଳାପକୁ ରୂପ ଦେବା ପୂର୍ବରୁ ହିଁ ସେନା ସେମାନଙ୍କ ଯୋଜନାକୁ ପଣ୍ଡ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଥାଉ କି, ଗତମାସରେ ସୁରକ୍ଷାକର୍ମୀମାନେ ଆତଙ୍କୀ ସଂଗଠନ ଅଲବଦରର ଜଣେ ଆତଙ୍କୀକୁ ଗିରଫ କରିଥିଲେ । ଆତଙ୍କୀ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଆତଙ୍କୀର ନାମ ଗୁଲଜାର ଅହମ୍ମଦ ବୋଲି ଚିହ୍ନଟ ହୋଇଥିଲା ।

You might also like