୧୫ ବର୍ଷର ଭାଇଭଉଣୀ କରୋନା ମୁକାବିଲା ପାଇଁ ଭାରତକୁ ଦେଲେ ୨, ୮୦, ୦୦୦ ଡଲାରର ସହାୟତା

ନୂଆଦିଲ୍ଲୀ- ଭାରତରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବିଶ୍ୱର ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଭାରତରେ ଏହା ଭୟାନକ ରୂପ ନେଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନ ନାହିଁ । ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଲୋକଙ୍କ ନିଦ ହଜାଇ ଦେଇଛି । କରୋନା ଆଗରେ ଦେଶର ଚିକିତ୍ସା ବ୍ୟବସ୍ଥା ଏକ ପ୍ରକାର ଅସହାୟ ହୋଇ ପଡ଼ିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା, ଚିକିତ୍ସା ଜନିତ ଅବ୍ୟବସ୍ଥା, ମୃତ୍ୟୁ ହାର ସାରା ବିଶ୍ୱର ହୃଦୟ ତରଳାଇ ଦେଉଛି ।

ଏପରି ସ୍ଥିତିରେ ଭାରତକୁ ସାହାଯ୍ୟ କରିବା ପାଇଁ ଅନେକ ରାଷ୍ଟ୍ରରୁ ସହାୟତାର ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ତିନି ଭାରତୀୟ-ଆମେରିକୀୟ ଭାଇଭଉଣୀଙ୍କ ସାହାଯ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏହି ତିନି ଭାଇ ଭଉଣୀ ମିଶି ଭାରତର କରୋନା ଚିକିତ୍ସା ପାଇଁ ୨, ୮୦,୦୦୦ ଡଲାର ଆର୍ଥିକ ସହାୟତା ରାଶି ଯୋଗାଡ କରି ଦେଇଛନ୍ତି । ବିଶେଷ କରି ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟାନ୍ୟ କରୋନା ଚିକିତ୍ସା ଉପକରଣ କିଣିବା ପାଇଁ ଏହି ରାଶି ପଠାଇଛନ୍ତି ।

ସ୍ଵେଚ୍ଛାସେବୀ   ସଂଗଠନ ଲିଟିଲ ମେଣ୍ଟର୍ସର ସଂସ୍ଥାପକ ଜିୟା, କରୀନା ଏବଂ ଅରମାନ ଗୁପ୍ତା । ସମସ୍ତଙ୍କ ବୟସ ପାଖାପାଖି ୧୫ ବର୍ଷ । ତିନି ଭାଇଭଉଣୀ ନିଜ ସ୍କୁଲ ସାଙ୍ଗ, ସେମାନଙ୍କ ପରିବାର ଲୋକଙ୍କଠାରୁ ସହାୟତା ରାଶି ଯୋଗାଡ କରିଛନ୍ତି । ଏହି ଅର୍ଥରେ ଦିଲ୍ଲୀ ଏବଂ ଆଖପାଖ ଡାକ୍ତରଖାନାରେ ପଡ଼ିଥିବା କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଏବଂ ଭେଣ୍ଟିଲେଣ୍ଟର ପରି ଜୀବନ ରକ୍ଷକ ଉପକରଣ କିଣିବା ପାଇଁ ପ୍ରଦାନ କରିଛନ୍ତି ।
ତିନି ଭାଇ ଭଉଣୀ କହିଛନ୍ତି, “ଆମର ଗୋଟିଏ ଅନୁରୋଧ, ଯେତେବେଳେ ଏହି ଉପକରଣର ଆବଶ୍ୟକତା ନ ଥିବ ଏହାକୁ ଫେରାଇ ଦେବେ । ଯାହାଫଳରେ ଏହା ଅନ୍ୟ କେହି ରୋଗୀର କାମରେ ଆସିପାରିବ ।’

ସେମାନେ ଆହୁରି କହିଛନ୍ତି, ‘ଏହି ସବୁ ଉପକରଣର ଏବେ ଘୋର ଅଭାବ ରହିଛି । ତା ସାଙ୍ଗକୁ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ । ତେଣୁ ଆବଶ୍ୟକତା ନ ଥିଲେ ଏସବୁ ଉପକରଣ ଫେରାଇ ଦେବା ନିହାତି ଜରୁରୀ ।’

ଯାହା ବି ହେଉ, କରୋନା ବିପଦବେଳେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ସମ୍ପର୍କରେ ଅନେକ ଫାଟ ସୃଷ୍ଟି ହୋଇଛି । ହେଲେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଇ ଛୋଟ ଛୋଟ ପିଲାଙ୍କ କୁନି ଉଦ୍ୟମ ଆଖି ଓଦା କରିଦେଇଛି ।

ସୂଚନାଥାଉ କି, କରୋନା କବ୍‌୍‌ଜାରେ ପଡି ଦିଲ୍ଲୀ ଅବସ୍ଥା ବେହାଲ ହୋଇଯାଇଛି । ଦିଲ୍ଲୀରେ ଲଗାତାର ୨ୟ ଦିନରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ତଳେ ରହିଛି । ସୋମବାର ଦିଲ୍ଲୀରେ କୋଭିଡ ରୋଗୀଙ୍କ ସଂଖ୍ୟା ୧୮,୦୪୩ ଥିବାବେଳେ ମଙ୍ଗଳବାର ୧୯, ୯୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏଠାରେ ୨୪ ଘଣ୍ଟାରେ ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ଗତ ରବିବାର ଦିଲ୍ଲୀରେ ୨୦, ୩୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ୨୫, ୨୧୯ ଜଣ ଚିହ୍ନଟ ହୋଇଥିଲେ ।

You might also like