ପୁଲିସ୍‌ ଅଧିକାରୀଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ପୁଲିସ୍‌ ଅଧିକାରୀ। ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ୪ ପୁଲିସ୍‌ ଅଧିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଗାଁ ଲୋକଙ୍କ ସହାୟତାରେ ଜଣେ ପୁଲିସ୍‌ ଅଧିକାରୀ ମୁକୁଳି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳେ ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ସୋପିଆନ୍‌ରୁ ୩ ଜଣ ସ୍ପେଶାଲ୍‌ ପୁଲିସ୍‌ ଅଫିସର (ଏସ୍‌ପିଓ) ଓ ଜଣେ କନେଷ୍ଟବଲ୍‌ଙ୍କୁ ଅପହରଣ କରିଥିଲେ। ଆତଙ୍କବାଦୀମାନେ ପୁଲିସ୍‌ ଅଧିକାରୀଙ୍କୁ ଚେତାବନୀ ଦେବା ସହ ଇସ୍ତଫା ଦେବାପାଇଁ କହିଥିଲେ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଗତ ୩ ସପ୍ତାହ ପୂର୍ବରୁ ଆତଙ୍କବାଦୀମାନେ ୩ଜଣ ପୁଲିସ୍‌ ଅଧିକାରୀ ଓ ୮ଜଣ ପୁଲିସ୍‌ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରିଥିଲେ। ଜମ୍ମୁ ଓ କଶ୍ମୀର ପୁଲିସ୍‌ ଆତଙ୍କବାଦୀଙ୍କ ପରିବାର ସଦସ୍ୟଙ୍କୁ ମୁକ୍ତ କରିବା ପରେ ପରେ ଆତଙ୍କବାଦୀମାନେ ପୁଲିସ୍‌ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ମୁକ୍ତ କରିଥିଲେ।

ଗତ ମଙ୍ଗଳବାର ଦିନ ଆତଙ୍କବାଦ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଜମ୍ମୁ ଓ କାଶ୍ମୀରର ସୁରକ୍ଷାକର୍ମୀଙ୍କୁ ଏକ ଭିଡିଓ ମାଧ୍ୟମରେ ଧମକ ଦେଇଥିଲା।

You might also like