ଶିଶୁମାନଙ୍କ ପାଇଁ ବିପଦ ଆଣିଛି କରୋନାର ଦ୍ୱିତୀୟ ଲହର

ନୂଆଦିଲ୍ଲୀ: ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଲହର। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜନ୍ମ ପରେ ପରେ ଦୁଇ ନବଜାତକ ହଇଜା ଆକ୍ରାନ୍ତ ହୋଇଥିଲେ । ପରେ ପରୀକ୍ଷଣରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।  ଦୁହିଁଙ୍କର ଏସ୍ଏସ୍‌ଜି ହସ୍ପିଟାଲରେ ଏଯାଏ ଚିକିତ୍ସା ଜାରି ରହିଛି।

ଗତ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରେ କେବଳ ୬ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିରୁ ୧୦ ବର୍ଷରୁ କମ୍ ବୟସର ୧୫ ହଜାର ୫୦୦ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାଯାଇଛି। ରାଜ୍ୟରେ ମୋଟ୍ ପଜିଟିଭ୍ ମଧ୍ୟରୁ ୧୦ ପ୍ରତିଶତ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି।

ଅନ୍ୟପକ୍ଷେ ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି। ମହରାଷ୍ଟ୍ରରେ ଗତକାଲି ୪୩ ହଜାର ୧୮୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବାଇରେ ଗୁରୁବାର ୮୬୪୬ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮.୫୬ ଲକ୍ଷ ଲୋକ ମହାମାରୀ କବ୍‌ଜାରେ ପଡ଼ି ସାରିଛନ୍ତି। ପରିସ୍ଥିତିକୁ ଦେଖିଲେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ପରିସ୍ଥିତି ସୃଷ୍ଟି ହୋଇଛି।

ମହାରାଷ୍ଟ୍ରକୁ ମିଶାଇଲେ ଦେଶରେ ଆଠଟି ରାଜ୍ୟ ଯଥା ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, କେରଳ, ତାମିଲନାଡୁ, ଗୁଜରାଟ ଏବଂ ମଧ୍ୟପ୍ରଦେଶ ଚିନ୍ତା ବଢାଇଛି। ତେବେ ମହାରାଷ୍ଟ୍ର ପାଇଁ ଚିନ୍ତାର କାରଣ ହେଉଛି, ଏଠାରେ କରୋନା ସାଙ୍ଗକୁ ରକ୍ତର ଅଭାବ ମଧ୍ୟ ଦେଖାଦେଇଛି। ବ୍ଲଡ ବ୍ୟାଙ୍କରେ ଏବେ ୭ରୁ ୮ ଦିନ ପାଇଁ ବ୍ଲଡ ବଞ୍ଚି ରହିଥିବା କୁହାଯାଇଛି। ଏମିତି ସ୍ଥିତି ଦେଖିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲୋକଙ୍କୁ ରକ୍ତଦାନ କରିବା ପାଇଁ ନିବେଦନ କରିଛନ୍ତି। ବୃହନ୍‌ ମୁମ୍ବାଇ ମହାନଗରପାଳିକା ପକ୍ଷରୁ କୁହାଯାଇଛି, ସହରରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୩ ହଜାର ୩୬୦ ହୋଇଗଲାଣି।
ପୂର୍ବରୁ ଜାନୁଆରୀରେ ରାଜ୍ୟରେ ୧୦ ବର୍ଷ ବୟସ ମଧ୍ୟରେ ପ୍ରାୟ ୨,୦୦୦ ଜଣ ସଂକ୍ରମିତ ହୋଇଥିଲେ ଏବଂ ଫେବ୍ରୁଆରୀରେ ୨,୭୦୦ ଜଣ ସଂକ୍ରମିତ ହୋଇଥିଲେ । ସେହିପରି ୧୧ରୁ ୨୦ ବର୍ଷ ମଧ୍ୟରେ ୫୫ ହଜାର ଜଣ କରୋନା ସଂକ୍ରମିତ ହୋଇଛନ୍ତି।  

ଏଠି କହରଖିବୁ, ଦେଶରେ ଗତକାଲି ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୭କୁ ବୃଦ୍ଧି ପାଇଛି ।

You might also like