ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଆସିବ କୋଭିସିଲ୍ଡ । ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ ଆସିବାର ଅଛି ।

ସୂଚନା ଅନୁସାରେ, ଏହି ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ସେପଟେ ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ।ଏହାର ତୃତୀୟ ଦିନରେ ଆଜି ୧୯୨ଟି ସେସନ ହେବାର ବ୍ୟବସ୍ଥା ହୋଇଛି ।

ଆସନ୍ତାକାଲି ୯୨ ଟି ସେସନ, ୨୧ ତାରିଖରେ ୪୩୬, ୨୨ରେ ୧୪୧, ୨୩ରେ ୧୭୮ ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ । ଏହିପରି ଭାବରେ ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍‌ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଗତକାଲି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିକା ପ୍ରଦାନ କରାଯାଇଛି ।  ଗତକାଲି ଗୋଟିଏ ସାମାନ୍ୟ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଭଲ ଥିବା ଜଣାଯାଇଛି।

ଗତକାଲି ରାଜସ୍ୱ ବିଭାଗ ଅଧୀନରେ ଥିବା ଆଗଧାଡ଼ିର କର୍ମଚାରୀମାନେ ତାଲିକାଭୁକ୍ତ ହେବା ନେଇ ସମସ୍ତ ଜିଲ୍ଲା ସହିତ ଏକ ଭିଡିଓ କନଫରେନ୍ସ ହୋଇଥିଲା। ଆସନ୍ତା ୨୫ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,   ୨୦୦ ଟଙ୍କା ପ୍ରତି ଡୋଜ ଦରରେ ପ୍ରାୟ ୧ କୋଟି ୧୦ ଲକ୍ଷ କୋଭିସିଲ୍ଡ  ଟିକା କିଣିଛନ୍ତି ଭାରତ ସରକାର । ସିରମ୍ ଇନଷ୍ଟିଚ୍ୟୁଟରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବିମାନ ବନ୍ଦରକୁ ଟିକା ପଠାଯାଇଥିଲା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବିମାନରେ ଏହାକୁ ଭାରତର ବିଭିନ୍ନ ସହରକୁ ପଠାଯାଇଥିଲା । ଗତ ୧୧ ତାରିଖରେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଆସିଥିବା କୋଭିସିଲ୍ଡ ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାୟାଲ୍ ଟିକା ଅର୍ଥାତ୍ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିଥିବା ବେଳେ  ବିମାନ ବନ୍ଦରରୁ ପୂର୍ବ ପ୍ରସ୍ତୁତି ଅନୁସାରେ ତାପମାତ୍ରା ନିୟନ୍ତ୍ରକ ଭ୍ୟାନରେ ତାହାକୁ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଥିଲା। ଏହାପରେ ଗତ ଶନିବାରଠୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି ।

You might also like